ଗୁଜରାଟରେ କିଏ ଗଢିବ ସରକାର, ଫଳାଫଳ ଉପରେ ଅଟକିଛି ସାରା ଦେଶର ନଜର । ମୋଦୀ ମ୍ୟାଜିକ ଅତୁଟ ରହିବ ନା ହାତ ଟେକିବ କଂଗ୍ରେସ ।

72

କନକ ବ୍ୟୁରୋ : ସରିଲା ଗୁଜରାଟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ୯୩ଟି ଆସନ ପାଇଁ ମତଦାନ ହୋଇଛି । ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର । ଏବେ କେବଳ ଅପେକ୍ଷା ଫଳାଫଳକୁ । ଡିସେମ୍ବର ୮ ତାରିଖରେ ଜଣାପଡିବ କିଏ ମାରିଲା ବାଜି ।

ଶେଷ ହୋଇଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ଅହମ୍ମଦାବାଦରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମର୍ଥକଙ୍କ ଗହଣରେ ଆସି ୧୭୭ ନମ୍ବର ବୁଥରେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭୋଟ ଦେବା ପରେ ମୋଦୀ ଭୋଟ ଗ୍ରହଣ କେନ୍ଦ୍ରଠାରୁ ଅଳ୍ପଦୂରରେ ରହୁଥିବା ତାଙ୍କ ଭାଇଙ୍କୁ ଭେଟିବାକୁ ଯାଇଥିଲେ । ମୋଦୀ ଯିବାବେଳେ ତାଙ୍କୁ ଦେଖିବା ପାଇଁ ଲୋକାରଣ୍ୟ ହୋଇପଡିଥିଲା ରାସ୍ତାର ଦୁଇ ପାଶ୍ୱର୍ । ଫେରିବାବେଳେ ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ମୋଦୀ ମୋଦୀ ନାରାରେ କମ୍ପୁଥିଲା ସମଗ୍ର ଅଞ୍ଚଳ । ଲୋକଙ୍କ ଭାବାବେଗକୁ ବୁଝିବାରେ ବେଶ ମାହିର ମୋଦୀ ସୁଯୋଗର ହାତ ଛଡା କରିନଥିଲେ । ତାଙ୍କୁ ଅପେକ୍ଷା କରିଥିବା ଲୋକମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଅଧିକ ଅଧିକ ଭୋଟ ଦେବାକୁ ଅପିଲ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ମୋଦୀ ମଧ୍ୟ ବୁଥକୁ ଆସି ମତଦାନ କରିଛନ୍ତି । ବୟସ ଶହେ ହୋଇଥିଲେ ବି ଭୋଟ ଦେବାକୁ ସମ୍ବିଧାନ ଦେଇଥିବା ମୌଳିକ ଅଧିକାରକୁ ସାବ୍ୟସ୍ତ କରିଛନ୍ତି ହୀରାବେନ୍ । ଚାଲି ପାରୁ ନଥିବାରୁ ହୁଇଲଚେୟାରରେ ଆସି ସେ ଭୋଟ ଦେଇଛନ୍ତି । ଏଥିସହ ଭୋଟ ଦେବାକୁ ଆସୁନଥିବା ଲୋକମାନଙ୍କୁ ବଡ ବାର୍ତା ଦେଇଛନ୍ତି । ମୋଦୀଙ୍କ ଭାଇ ସୋମାଭାଇ ମୋଦୀ ମଧ୍ୟ ମତଦାନ କରିଛନ୍ତି । ଭୋଟ ଦେବା ସମୟରେ ବେଶ ଭାବବିହ୍ୱଳ ହୋଇ ମୋଦୀଙ୍କ ଭାଇ କହିଛନ୍ତି, ୨୦୧୪ ପରଠାରୁ ଦେଶରେ ଯେଉଁ ସବୁ ଉନ୍ନତି ମୂଳକ କାମ ହୋଇଛି, ତାକୁ କୌଣସି ଲୋକ ଅଣଦେଖା କରିପାରିବନି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅହମଦାବାଦ ନାରନପୁରା ସ୍ଥିତ ନଗରନିଗମ ଅଫିସରେ ମତଦାନ କରିଛନ୍ତି । ଭୋଟ ଦେବା ପରେ ଅଧିକରୁ ଅଧିକ ଭୋଟ ଦେବାକୁ ଗୁଜୁରାଟବାସୀଙ୍କୁ ଅପିଲ କରିଥିଲେ ଶାହ । ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡ଼ଭୀ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଇଭିଏମରେ ସିଲ ହୋଇଯାଇଛି ୧୬୨୧ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଗତ ୨୭ବର୍ଷ ହେଲା ବିଜେପି ଉପରେ ଭରସା କରି ଆସୁଛନ୍ତି ଗୁଜୁରାଟବାସୀ । ୨୦୧୭ରେ କଂଗ୍ରେସ ଜୋରଦାର ଟକ୍କର ଦେଇଥିଲେ ବି କ୍ଷମତାକୁ ଆସି ପାରିନଥିଲା । କିନ୍ତୁ ଏଥର ବିଜେପି, କଂଗ୍ରେସ ସହ ମଇଦାନରେ ଲଢ଼େଇ କରୁଛି ଆମ ଆଦମି ପାର୍ଟି । ଅର୍ଥାତ ଏଥର ଦ୍ୱିମୁଖୀ ଲଢ଼େଇ ବଦଳରେ ଗୁଜୁରାଟରେ ତ୍ରିକୋଣୀୟ ଲଢ଼େଇ ହେଉଛି । ଆଉ ସବୁଦଳ ସରକାର ଗଢ଼ିବାକୁ ଦମ୍ଭୋକ୍ତି ଦେଖାଉଛନ୍ତିି । ହେଲେ, ଗୁଜୁରାଟବାସୀ କାହା ଉପରେ ଭରସା କରିଛନ୍ତି, କିଏ ସରକାର ଗଢ଼ିବ ତାହା ଆସନ୍ତା ୮ ତାରିଖରେ ସ୍ପଷ୍ଟ ହେବ ।