କନକ ବ୍ୟୁରୋ: ମୋଦୀ ବିରୋଧୀ ରାଜନୈତିକ ଦଳ ବେଙ୍ଗାଲରୁରେ ଏକାଠି ହୋଇ ମେଣ୍ଟର ନାଁ ରଖିବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି । କିନ୍ତୁ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କିଏ ହେବ? କାହା ନେତୃତ୍ୱରେ ମେଣ୍ଟ ଏନଡିଏ ବିରୋଧରେ ଲଢ଼େଇ କରିବ? କେଉଁଠି କେଉଁ ଦଳ ଲଢ଼ିବ? ଆସନ ବୁଝାମଣା କେମିତି ହେବ? ତାହା ଚୂଡାନ୍ତ ହୋଇ ନାହିଁ । ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ଏଥିସହ ମେଣ୍ଟର ସ୍ଥାୟିତ୍ୱକୁ ନେଇ କଟାକ୍ଷ କରିଛନ୍ତି ବିଜେପି ନେତା ।

Advertisment

ବିରୋଧୀ ମେଣ୍ଟ ଇଣ୍ଡିଆର କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା? କାହା ନେତୃତ୍ୱରେ ଶକ୍ତିିଶାଳୀ ହେଇ ଏନଡିଏ ବିରୋଧରେ ମଇଦାନକୁ ଓହ୍ଲାଇବେ ବିରୋଧୀ? ଏନେଇ ବେଙ୍ଗାଲୁର ବୈଠକରେ ଚୂଡାନ୍ତ ହୋଇନଥିଲେ ବି ଚର୍ଚ୍ଚାରେ ରହିଛି ଏକାଧିକ ନେତାଙ୍କ ନାଁ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କ ଦଳରୁ କେହି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ ବୋଲି ସଂକେତ ଦେଇଥିଲେ ବି ଚର୍ଚ୍ଚାରେ ସବୁଠୁ ଆଗରେ ରହିଛି ରାହୁଲ ଗାନ୍ଧୀଙ୍କ ନାଁ । ଭାରତ ଯୋଡୋ ଯାତ୍ରା ପରେ ରାହୁଲଙ୍କ କ୍ରେଜ୍ ବଢ଼ିଥିବାରୁ ତାଙ୍କ ନେତୃତ୍ୱରେ ମେଣ୍ଟ ମଇଦାନକୁ ଓହ୍ଲାଇପାରେ ବୋଲି ଆକଳନ କରାଯାଉଛି । ସେହିପରି ବିରୋଧୀଙ୍କୁ ଏକ କରିବାକୁ ସୂତ୍ରଧର ସାଜିଥିବା ନୀତିଶ କୁମାରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ ଓ ଶରତ ପାୱାରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ରାଜନୀତି ସମୀକ୍ଷକଙ୍କ ମତ ହେଉଛି, ବିରୋଧୀ କାହାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି ।

  • ଆସନ ବୁଝାମଣା ବଡ ଆହ୍ୱାନ?
  • କିଏ କେଉଁଠୁ ଲଢିବ ସୃ୍ଷ୍ଟି ହୋଇପାରେ ଦ୍ୱନ୍ଦ୍ୱ

କେନ୍ଦ୍ରରୁ ମୋଦୀଙ୍କୁ ସରକାରରୁ ହଟାଇବା ଲକ୍ଷ୍ୟ ନେଇ ବିରୋଧୀ ଏକାଠି ହୋଇଛନ୍ତି । ଆଗାମି ନିର୍ବାଚନରେ ଏକାଠି ଲଢ଼ିବାକୁ ନିଷ୍ପତି ନେଇଛନ୍ତି । କିନ୍ତୁ ଆସନ ବୁଝାମଣାକୁ ନେଇ ମେଣ୍ଟରେ ଥିବା ରାଜନୈତିକ ଦଳମାନଙ୍କ ପାଇଁ ବଡ ଆହ୍ୱାନ ହୋଇପାରେ । କାରଣ ପଞ୍ଜାବ, ଗୁଜୁରାଟ ଓ ଦିଲ୍ଲୀରେ ଉଭୟ ଆମ ଆଦମି ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ଦ୍ୱନ୍ଦ୍ୱ ଉପୁଜିପାରେ । ପଶ୍ଚିମବଙ୍ଗରେ ଟିଏମସି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ମେଣ୍ଟ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିପାରେ । ଉତ୍ତରପ୍ରଦେଶରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଆରଏଲଡି ମଧ୍ୟରେ ଆସନ ବାଣ୍ଟିବା କଷ୍ଟକର ହୋଇପାରେ । ତେବେ ରାଜନୈତିକ ଦଳର ଲୋକପ୍ରିୟତା ଆଧାରରେ ଆସନ ବୁଝାମଣା ହୋଇପାରେ ବୋଲି ମତ ଦେଇଛନ୍ତି ରାଜନୀତି ସମୀକ୍ଷକ ।

କେବଳ ଏହି ଦୁଇଟି ପ୍ରସଙ୍ଗ ନୁହେଁ ବିରୋଧୀ ମେଣ୍ଟରେ ସାମିଲ ହୋଇଥିବା ରାଜନୈତିକ ଦଳମାନଙ୍କ ବିଚାରଧାରା ଭିନ୍ନ ଭିନ୍ନ ରହିଛି । ତେଣୁ ସେହି ଦଳୀୟ ବିଚରଧାରାରୁ ଉପରକୁ ଉଠି କମନ ମିନିମମ୍ ଏଜେଣ୍ଡା ପ୍ରସ୍ତୁତ କରିବା ମେଣ୍ଟ ପାଇଁ ବଡ ଆହ୍ୱାନ ହେବ । ତେବେ ବିରୋଧୀ ମେଣ୍ଟର ସ୍ଥାୟିତ୍ୱକୁ ନେଇ ବିଜେପି ନେତାମାନେ ପ୍ରଶ୍ନ ଉଠାଉଥିଲେ ବି ଦେଶରେ ନୂଆ ସମୀକରଣ ସୃଷ୍ଟି କରିଛି । ଯେଉଁ ବିଜେପି ଏକା ଏକା ଲଢ଼ିବାକୁ ଦମ ଦେଖାଉଥିଲା, ସେହି ଦଳ ଏବେ ୩୮ ଦଳକୁ ନେଇ ଏନଡିଏ ବୈଠକ କରିଛି । ଅନ୍ୟପଟେ ବିଜେଡି, ୱାଇଏସଆର କଂଗ୍ରେସ, ବିଆରଏସ ଭଳି ଦଳ କୌଣସି ମେଣ୍ଟରେ ସାମିଲ ହୋଇନଥିବାରୁ ଆଗାମୀ ଦିନରେ କିଙ୍ଗ ମେକର ହୋଇପାରନ୍ତି ବୋଲି କୁହାଯାଉଛି ।