ପିପିଲିରେ କାହା ବିରୁଦ୍ଧରେ ଲଢ଼ିବ କିଏ? ଉପ-ନିର୍ବାଚନ ପାଇଁ ବିଜେପିର ରୁଦ୍ଧଦ୍ୱାର ବୈଠକ । କଂଗ୍ରେସ କହିଲା- ସମ୍ଭାବ୍ୟ ୩ ପ୍ରାଥୀଙ୍କ ନାଁ

402

କନକ ବ୍ୟୁରୋ: ପିପିଲି ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଆସିବା ପରେ ଏବେ ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ତା ଉପରେ ସାରା ଓଡ଼ିଶାର ନଜର ଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି ଏକ ରୁଦ୍ଧଦ୍ୱାର ବୈଠକ କରିଛି । ନିର୍ବାଚନ ପାଇଁ ପଂଚାୟତ ସ୍ତରରୁ କିଭଳି ନେତାଙ୍କୁ ଦାୟୀତ୍ୱ ଦିଆଯିବ ସେ ନେଇ ଆଲୋଚନା ହୋଇଛି ।

ତେବେ ମାନାଙ୍କନ ଦାଖଲ କରିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ କଂଗ୍ରେସ ତିନୋଟି ନାଁ ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ ଏବଂ ନୀଶିକାନ୍ତ ମିଶ୍ରଙ୍କ ଭିତରୁ ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀ ଦେବ । ତେବେ ଚୁଡ଼ାନ୍ତ ଭାବେ କାହାକୁ ଟିକେଟ ମିଳିବ ସେ ନେଇ ୩୦ ତାରିଖ ପୂର୍ବରୁ ଜଣାପଡ଼ିବ । ସାରା ଦେଶରେ କଂଗ୍ରେସ ଭୋଟ୍ କମିଛି, କିନ୍ତୁ ପିପିଲିରେ ନିର୍ବାଚନ ଲଢ଼ିବା ଅଭିମୁଖ୍ୟ ନେଇ ନିର୍ବାଚନ ଲଢ଼ିବୁ ବୋଲି ପିସିସି ସଭାପତି କହିଛନ୍ତି ।

ଏପଟେ ପିପିଲିରେ ଶାସକ ବିଜେଡି ଦଳପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଦଳୀୟ ସୁପ୍ରିମୋ ଘୋଷଣା କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ପୂର୍ବତନ ମନ୍ତ୍ରୀ ତଥା ୭ଥରର ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରର ସଦସ୍ୟଙ୍କ ଭିତରୁ ଜଣଙ୍କୁ ଟିକେଟ ମିଳିବାର ଯଥେଷ୍ଟ ସଂଭାବନା ରହିଛି ।

ପିପିଲି ନିର୍ବାଚନକୁ ନେଇ ନେତାଙ୍କ ଭିତରେ କସରତ ଆରମ୍ଭ ହୋଇଥିବା ବେଳେ କୋଭିଡ୍ କାଳରେ କେମିତି ହେବ ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୫ଟି ରାଜ୍ୟରେ ହେଉଥିବା ନିର୍ବାଚନ ପ୍ରଚାରରେ ଲୋକଙ୍କ ଗହଳି ସମସ୍ତଙ୍କୁ ଚକିତ କରୁଥିବା ବେଳେ, ପ୍ରଶ୍ନ ଉଠୁଛି- ପିପିଲି ନିର୍ବଚନା ସମୟରେ ନେତା ମାନିବେ ତ କୋଭିଡ୍ ନିୟମ? କଟକଣା ଭିତରେ ନେତା ନିର୍ବାଚନ ପ୍ରଚାର କରିବେ କି? ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନେତା ।