କନକ ବ୍ୟୁରୋ : ବିଧାନ ପରିଷଦ ପାଇଁ ଫିଟିଲା ବାଟ । ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଆଜି ବିଧାନସଭାରେ ଆଗତ ସଂକଳ୍ପ ପାରିତ ହୋଇଛି । ବିଧାନ ପରିଷଦ ଗଠନ ପାଇଁ ଗୃହରେ ପାରିତ ହୋଇଥିବା ସଂକଳ୍ପ ପ୍ରସ୍ତାବ ସପକ୍ଷରେ ୧୦୪ ବିଧାୟକ ଭୋଟ ଦେଇଛନ୍ତି । ଗୃହରେ ଉପସ୍ଥିତ ଥିବା ସମସ୍ତ ବିଜେଡି ବିଧାୟକ ଏହି ସଂକଳ୍ପ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ତେବେ କଂଗ୍ରେସ ଓ ବିଜେପି ସଭ୍ୟ ମାନେ ସଂକଳ୍ପ ପ୍ରସ୍ତାବକୁ ବିରୋଧ କରି ଭୋଟିଂ ପୂର୍ବରୁ ଗୃହତ୍ୟାଗ କରିଥିଲେ । ବିଧାନସଭାରେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ଏହା ବେଶ ସହଜରେ ପାରିତ ହୋଇଛି । ସଂକଳ୍ପ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ପାଇଁ ବିଧାନ ପରିଷଦ ଆବଶ୍ୟକତା ରହିଥିଲା । ଏହା ରାଜ୍ୟବାସୀଙ୍କ ଆଶା ପୂରଣ କରିବ ।ଆମ ରାଜ୍ୟରେ ଆଇନ ପ୍ରଣୟନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ପ୍ରଶାସନ ଓ ଜନ ସାଧାରଣଙ୍କ କଲ୍ୟାଣ ନିମନ୍ତେ ଓଡିଶାରେ ବିଧାନ ପରିଷଦ ଗଠନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଅପରାହ୍ନରେ ସଂସଦୀୟ ବ୍ୟାପାର, ଗ୍ରାମ୍ୟ ଉନ୍ନୟନ, ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଏ ସମ୍ବନ୍ଧୀୟ ସଂକଲ୍ପକୁ ବିଧାନସଭା ଗୃହରେ ଆଗତ କରି ବିଧାନ ପରିଷଦ ଗଠନ ସମ୍ବନ୍ଧରେ ଦୃଢ ଯୁକ୍ତି ଉପସ୍ଥାପନା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତର ସମ୍ବିଧାନ ଅନୁଚ୍ଛେଦ ୧୭୨ ଅନୁଯାୟୀ, ବିଧାନ ପରିଷଦର ମୋଟ ସଭ୍ୟ ସଂଖ୍ୟା ସର୍ବନିମ୍ନ ୪୦ ଏବଂ ସର୍ବାଧିକ ସଂପୃକ୍ତ ରାଜ୍ୟର ବିଧାନସଭାର ସମୁଦାୟ ସଭ୍ୟ ସଂଖ୍ୟା ଏକ ତୃତୀୟାଂଶରେ ସୀମିତ ହେବା ଆବଶ୍ୟକ । ତେବେ ଏହି ହିସାବରେ ଓଡିଶାର ବିଧାନ ପରିଷଦ ଗଠନ ହେଲେ ଏହାର ସମୁଦାୟ ସଭ୍ୟ ସଂଖ୍ୟା ୪୯ ହେବ ।
ଅନୁଚ୍ଛେଦ ୧୭୧ ଅନୁଯାୟୀ, ଓଡିଶାର ବିଧାନ ପରିଷଦ ଗଠନ ହେଲେ ଏହାର ମୋଟ ସଭ୍ୟ ସଂଖ୍ୟା ଏକ ତୃତୀୟାଂଶ ତଥା ୧୬ ଜଣ ସଭ୍ୟ, ବିଧାନସଭାର ସଦସ୍ୟ କିମ୍ବା ସଦସ୍ୟାଙ୍କ ଦ୍ୱାରା ନିର୍ବାଚିତ ହେବେ । ସେହିଭଳି ବିଧାନ ପରିଷଦର ମୋଟ ସଭ୍ୟ ସଂଖ୍ୟାର ଏକ ତୃତାୟାଂଶ ତଥା ୧୬ ଜଣ ସଦସ୍ୟ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି ଓ ସମସ୍ତ ସହରାଞ୍ଚଳର ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ସେହିଭଳି ଏକ ଦ୍ୱାଦଂଶ ତଥା ୪ ଜଣ ସଦସ୍ୟ ରାଜ୍ୟରେ ୩ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସ୍ନାତକମାନଙ୍କୁ ନେଇ ଏକ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ସେହିଭଳି ଭାବେ ବିଧାନ ପରିଷଦର ସମୁଦାୟ ସଭ୍ୟ ସଂଖ୍ୟାର ଏକ ଦ୍ୱାଦଂଶ ତଥା ୪ ଜଣ ମାଧ୍ୟମିକ ତଦୁର୍ଦ୍ଧ ବିଦ୍ୟାଳୟରେ ୩ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଶିକ୍ଷକମାନଙ୍କୁ ନେଇ ଗଠିତ ଏକ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ଅବଶିଷ୍ଟ ୯ ଜଣ ସଦସ୍ୟ ସାହିତ୍ୟ, ବିଜ୍ଞାନ, କଳା, ସମବାୟ, ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବେ ।
ବିଧାନ ପରିଷଦ ଏକ ସ୍ଥାୟୀ ଗୃହ ହିସାବରେ କାର୍ଯ୍ୟ କରିବ । ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ ବର୍ଷରେ ଅବସର ନେବେ । ବର୍ତ୍ତମାନ ପାଇଁ ଭୁବନେଶ୍ୱର ସ୍ଥିତ ସର୍ଦ୍ଦାର ପଟେଲ ହଲରେ ବିଧାନ ପରିଷଦ କାର୍ଯ୍ୟକ୍ଷମ ହୋଇପାରିବ । ଓଡିଶା ବିଧାନସଭାର ଚାରିଶହରୁ ଅଧିକ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷର ତଳ ମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳ ଅଭିଭାଷଣ ନିମନ୍ତେ ମୁଖ୍ୟ କକ୍ଷ ଭାବେ ବ୍ୟବହୃତ ହୋଇପାରିବ । ଏହି ଗୃହ ଦ୍ୱାରା ସଂକଳ୍ପ ପାରିତ ହେବା ପରେ ଓଡିଶା ବିଧାନ ପରିଷଦ ଗଠନ ସମ୍ପର୍କୀତ ଆଇନ ସଂସଦର ଉଭୟ ଗୃହରେ ସଂଖ୍ୟାଧିକ ଭୋଟରେ ପାରିତ ହେବା ଆବଶ୍ୟକ ।
ବର୍ତ୍ତମାନ ଆମ ଦେଶରେ ସାତଟି ରାଜ୍ୟରେ ଯଥା- ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ବିଧାନ ପରିଷଦ ବ୍ୟବସ୍ଥା ରହିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଡ. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ମହାରାଷ୍ଟ୍ର, କଣ୍ଣାଟକ, ବିହାର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରି ସମ୍ପୃକ୍ତ ରାଜ୍ୟମାନଙ୍କରେ ବିଧାନ ପରିଷଦର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ । ପରେ ଏନେଇ ଏକ ତଥ୍ୟ ଭିତିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ପରେ ଉକ୍ତ ପ୍ରସ୍ତାବ ୨୦୧୮ ମସିହା ଅଗଷ୍ଟ ୨୪ ତାରିଖରେ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି ।