ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ ।  ଦଳୀୟ ଶିବିରରେ ଜାରି ରହିଛି କସରତ

356

କନକ ବ୍ୟୁରୋ: ପିପିଲିରେ କାହାକୁ ମିଳିବ ବିଜେଡି ଟିକେଟ ।  ଏ ନେଇ ଦଳୀୟ ଶିବିରରେ  କସରତ ଜାରି ରହିଛି । ତେବେ ଟିକେଟ ପାଇଁ ମହାରଥୀ ପରିବାରର ମା ଓ ପୁଅଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବିଜେଡି କର୍ମୀ  ଦୁଇଭାଗ ହୋଇଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ଏବେ  ମା ଓ ପୁଅଙ୍କ ନାଁକୁ ନେଇ ଚର୍ଚ୍ଚା । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ  ଏଠାରେ ଆଉ କିଛି ଦିନ ପରେ ଉପନିର୍ବାଚନ ହେବ । ଏଥିପାଇଁ ଜୋର ଧରିଲାଣି ରାଜନୀତି ପାଣିପାଗ ।  ତେବେ ପିପିଲିରେ କାହାକୁ ବିଜେଡି  ଟିକେଟ ମିଳିବ ତାହା ସ୍ପଷ୍ଟ ହୋଇନଥିବାବେଳେ ମା ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ମହାରଥୀଙ୍କ ପାଇଁ  ବିଜେଡି କର୍ମୀ ଦୁଇଭାଗ ହୋଇଛନ୍ତି ।  ପିପିଲିର କିଛି ସ୍ଥାନୀୟ ନେତା ତଥା  ପିପିଲର ବ୍ଲକ ଚେୟାରମ୍ୟାନ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କୁ ଟିକେଟ ଦେଲେ ଭଲ ହେବ ବୋଲି ଖୋଲାଖୋଲି କହିଛନ୍ତି । ପିପିଲି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ ପ୍ରାର୍ଥୀ କିଏ ହେବ ସେ ନେଇ ଦଳୀୟ ନେତାଙ୍କ ସହ ୱାନ ଟୁ ୱାନ କରିଛନ୍ତି ।

ସେପଟେ ଡେଲାଙ୍ଗର କିଛି ବ୍ଲକ ସ୍ତରୀୟ ନେତା  ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ସପକ୍ଷରେ ବାଢିଛନ୍ତି ଯୁକ୍ତି ।  ସେମାନଙ୍କ ଯୁକ୍ତି ହେଲା, ରୁଦ୍ରଙ୍କୁ ଟିକେଟ ଦିଆଗଲେ ଯୁବପିଢୀଙ୍କ ଉତ୍ସାହ ବଢିବ । ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣାକୁ ଆଉ ଅଳ୍ପଦିନ ବାକି ।  ଏଥିପାଇଁ ବିଜେଡି ଶିବିରରେ ହଲଚଲ ବଢିଛି । କିନ୍ତୁ ବିଜେଡି କର୍ମୀ ଏବେ ଅପେକ୍ଷା କରିଛନ୍ତି କାହାକୁ ମିଳିବ ଦଳୀୟ ଟିକେଟ ଓ କିଏ ହେବ ସେମାନଙ୍କ ନେତା । ମହାରଥୀଙ୍କ ପରିବାରରୁ କାହାକୁ ବାଛିବେ ନା ସସପେନ୍ସ ରଖି ବାଲେଶ୍ୱର ଭଳି ସରପ୍ରାଇଜ ଦେବେ ବିଜେଡି ସୁପ୍ରିମୋ. ତାଉପରେ ରହିଛି ସମସ୍ତଙ୍କ ନଜର ।