୪୮ ଆସନରେ କାହାକୁ ପ୍ରାର୍ଥୀ କରିବ ବିଜେଡି ? ଆଶାୟୀଙ୍କୁ ନେଇ ଅଙ୍କ କଷୁଛି ଦଳ । କାହା ଉପରେ ଭରସା କରିବ ଦଳ, କିଏ ପଡ଼ିବେ ବାଦ

1,355

କନକ ବ୍ୟୁରୋ : ବଜେଡି ୯୯ ବିଧାନସଭା ଓ ୨୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ସାରାରାଜ୍ୟର ନଜର ଅଟକିଛି ଅବଶିଷ୍ଟ ୪୮ ଆସନରୁ କାହାକୁ ପ୍ରାର୍ଥୀ କରିବ ଦଳ । ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରୁ ଶଂଖ ଭବନ ପର୍ଯ୍ୟନ୍ତ ତୁହାକୁ ତୁହା ବୈଠକ ବସୁଛି । କାହାକୁ ଟିକେଟ ଦେଲେ ବିଜୟ ସମ୍ଭାବନା, ଅଧିକ ଅଛି, ତା ଉପରେ ଅଙ୍କ କଷୁଛନ୍ତି ନେତା । ତେବେ ସୂଚନା ଅନୁସାରେ ଅଧିକାଂଶ ଆସନରେ ପ୍ରାର୍ଥୀ ଚୂଡାନ୍ତ ହୋଇ ସାରିଛି । କିନ୍ତୁ ଆଉ କିଛି ଆସନରେ ପ୍ରାର୍ଥୀ ଚୟନ ପାଇଁ ଚାଲିଛି କସରତ । ..

ଦୁଇଟି ପର୍ଯ୍ୟାୟରେ ୯୯ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୪୮ ଆସନରେ ପ୍ରାର୍ଥୀ ଦେଇନାହିଁ ଦଳ । ଏହା ଭିତରେ ଏମିତି କିଛି ଆସନ ଅଛି, ଯାହାକୁ ନେଇ ଏଯାଏଁ ଦୂର ହୋଇପାରିନି ଦ୍ୱନ୍ଦ୍ୱ । ହେଲେ ଆଶା ଛାଡିନାହାନ୍ତି ନେତା । ନବୀନ ନିବାସ ଆସି ଟିକେଟ ପାଇଁ ଶେଷ ଲବି ଚଳାଇଛନ୍ତି । କିନ୍ତୁ ଅଧିକାଂଶ ଆସନରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଅଙ୍କକଷା କରୁଛନ୍ତି ବିଜେଡିର ଥିଙ୍କ୍-ଟ୍ୟାଙ୍କ୍ । ହେଲେ, ଏହି ଆସନରେ ବିଜୟ ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ରଣନୀତି କରୁଛି । କିନ୍ତୁ ଏନେଇ ଦଳ ପକ୍ଷରୁ କିଛି କହିନଥିଲେ ବି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,
– ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅଧିନରେ ଥିବା ଭୁବନେଶ୍ୱର ମଧ୍ୟ, ଜୟଦେବ, ଖୋର୍ଦ୍ଧା ଓ ଜଟଣୀକୁ ନେଇ ଦଳ ହିସାବ କିତାବ କରୁଛି । କିନ୍ତୁ ଭୁବନେଶ୍ୱର ମଧ୍ୟ ଆସନରେ ଅନନ୍ତ ଓ ଅମରେଶଙ୍କ କଳି ପରେ କାହାକୁ ଟିକେଟ ମିଳିବ? ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
– କେନ୍ଦୁଝର ଲୋକସଭା ଆସନରେ ଧନୁର୍ଜୟ ସିଦ୍ଧୁଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଘୋଷଣା ହୋଇନଥିବା ୫ ବିଧାନସଭା ଆସନର ଟିକେଟ ଆଶାୟୀ ଦ୍ୱନ୍ଦ୍ୱରେ ପଡିଛନ୍ତି । ବିଶେଷକରି ଚମ୍ପୁଆ ଆସନରୁ ବିଜେଡି ପୁଣି ମିନାକ୍ଷୀଙ୍କୁ ରିପିଟ୍ କରୁଛି କି ନୂଆ ଚେହେରାକୁ ସାମନାକୁ ଆଣୁଛି? ତା ଉପରେ ରହିଛି ସମସ୍ତଙ୍କ ନଜର ।
– ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ ସୋର ଆସନରେ ବିଧାୟକ ଥିବା ପର୍ଶୁରାମ ଧଡାଙ୍କ ଟିକେଟ କାଟି ମାଧବ ଧଡାଙ୍କୁ ଦଳ ଟିକେଟ ଦେବା ପରେ, ବାଲେଶ୍ୱର ସଦର, ଭୋଗରାଇ, ରେମୁଣା, ନୀଳଗିରିରେ ଦଳ କାହାକୁ ଭରଷା କରିବ ? ସେ ନେଇ ଚିନ୍ତାରେ ପଡିଛନ୍ତି ନେତା ।
– କେନ୍ଦ୍ରାପଡା ଲୋକସଭା ଆସନର ସାଲେପୁର ଓ କେନ୍ଦ୍ରାପଡା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବାରୁ ଦଳ କିଛି ଭିନ୍ନ ନିଷ୍ପତି ନେଇପାରେ ବୋଲି ଚର୍ଚ୍ଚା ହେଉଛି । ବର୍ତମାନର ବିଧାୟକଙ୍କ ସ୍ଥାନରେ ନୂଆ ମୁହଁକୁ ଭରସା କରିପାରେ ବୋଲି ଆଲୋଚନା ହେଉଛି ।

କେବଳ ଏହି କେତୋଟି ଆସନ ନୁହେଁ,ବାକି ଥିବା ସମସ୍ତ ୪୮ ଆସନରେ ଆଶାୟୀ ଥିବା ବିଜେଡି ନେତା ଚିନ୍ତାରେ ଅଛନ୍ତି । ଏମିତିକି ବିଧାୟକ ଥିବା ନେତାମାନେ ଟିକେଟ କଟିବା ଭୟରେ ଅଛନ୍ତି । ତେବେ ବିଜେଡିର ରଣନୀତି କାହାକୁ ଜଣାନଥିବାରୁ ସୁପ୍ରିମୋ ଦଳର ବିଜୟ ପାଇଁ କିଛି ବି ନିଷ୍ପତି ନେଇପାରନ୍ତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ଦଳ ଘୋଷଣା କରିଥିବା ୯୯ ଆସନ ମଧ୍ୟରୁ ମାତ୍ର ୭ ଜଣ ବିଧାୟକଙ୍କ ଟିକେଟ କଟିଛି । ଆଉ କେତେ ଜଣଙ୍କ ଟିକେଟ କଟିବ ନା ସମସ୍ତଙ୍କ ଉପରେ ଭରସା କରିବେ ସୁପ୍ରିମୋ ତା ଉପରେ ସମସ୍ତଙ୍କ ନଜର ।