ଭୋଟ ସରିବା ପରେ ନନ୍ଦିଗ୍ରାମର ଫଳାଫଳ ଉପରେ ସାରା ଦେଶର ନଜର । ମେ’ ୨ ତାରିଖରେ ହେବ ସ୍ପଷ୍ଟ- ଜଣେ ବନିବ ହିରୋ, ଆଉ ଜଣେ ହେବ ଜିରୋ…

181

କନକ ବ୍ୟୁରୋ: ୨୦୨୧ର ସବୁଠୁ ବଡ ରାଜନୈତିକ ଲଢେଇ କୁହାଯାଉଥିବା ନନ୍ଦିଗ୍ରାମରେ ଇଭିଏମରେ ସିଲ୍ ହୋଇଛି ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଭାଗ୍ୟ । ପଶ୍ଚିମବଙ୍ଗର ଏହି ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ତେବେ ବାତାବରଣ ଏତେ ଅନିଶ୍ଚିତ ଥିଲା ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଯାଇ ଏକ ବୁଥ୍କୁ ଜଗିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନନ୍ଦିଗ୍ରାମ ନିର୍ବାଚନ ଚାଲିଥିବା ବେଳେ ମମତା, ରାଜ୍ୟପାଳଙ୍କୁ ଫୋନ କରି କହିଥିଲେ, ସ୍ଥାନୀୟ ଲୋକଙ୍କୁ ଭୋଟ ଦେବାକୁ ଦିଆଯାଉ ନାହିଁ । ପରେ ମମତା ଆହୁରି ଅଭିଯୋଗ କରିଥିଲେ ଯେ, ବିଜେପି ବାହାର ରାଜ୍ୟରୁ ନନ୍ଦିଗ୍ରାମକୁ ଗୁଣ୍ଡା ଆଣିଛି । ସେପଟେ ପଶ୍ଚିମବଙ୍ଗରେ ଆୟୋଜିତ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦି କଟାକ୍ଷ କରିଛନ୍ତି, ମମତା କଣ ପୁଣି ଅନ୍ୟ ଆସନରୁ ନାମାଙ୍କନ ଭରିବେ?

ପଶ୍ଚିମବଙ୍ଗ ରାଜନୀତିର କୁରୁକ୍ଷେତ୍ର, ଏଠି ଯିଏ ଜିତିବ ତାର ରାଜନୈତିକ ଭବିଷ୍ୟତ ଲେଖାହେବ । କାରଣ ଏଠି ଲଢ଼େଇ ହେଉଛି, ଦୁଇ ପୁରୁଣା ସହଯୋଗୀଙ୍କ ମଧ୍ୟରେ । କେବେ ଗୋଟିଏ ମଂଚରେ ଏକାଠି ହୋଇ ନିର୍ବାଚନ ଲଢୁଥିବା ଏହି ଦୁଇ ନେତା ଏବେ ପରସ୍ପରର ତୀବ୍ର ପ୍ରତିଦ୍ୱନ୍ଦୀ । ଏପରିକି ଏହି ଆସନରୁ ଯିଏ ଜିତିବ ସେ ହିଁ ମୁଖ୍ୟମନ୍ତ୍ରୀ ହେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଯିଏ ହାରିଯିବେ ତାଙ୍କ ପାଇଁ ନିଜର ସମ୍ମାନ ପୁଣି ଫେରି ପାଇବା କଷ୍ଟକର ହେବ ।

ନନ୍ଦିଗ୍ରାମରୁ ମମତା ତାଙ୍କ ସଂଘର୍ଷ ମୟ ରାଜନୀତି ଆରମ୍ଭ କରିଥିଲେ । ଅର୍ଥାତ ନନ୍ଦିଗ୍ରାମକୁ ମମତା ରାଜନୀତିର କର୍ମସ୍ଥଳି ବନାଇଥିଲେ । ଆଉ ୨୦୦୯ରେ ନନ୍ଦିଗ୍ରାମରୁ ଦୀର୍ଘ ୩୪ ବର୍ଷର ସିପିଏମର ଗଡକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ମମତା । ଗୋଟିଏ ପଟେ ନନ୍ଦିଗ୍ରାମ ମମତାଙ୍କ ରାଜନୈତିକ କର୍ମସ୍ଥଳୀ ବନିଥିବା ବେଳେ ଅନ୍ୟପଟେ, ନନ୍ଦିଗ୍ରାମ ଅଂଚଳରେ ଶୁଭେନ୍ଦୁ ଅଧିକାରୀଙ୍କ ପରିବାର ବେଶ୍ ଲୋକପ୍ରିୟତା ରହିଛି ।

ଯଦି ପୂର୍ବ ନିର୍ବାଚନର ଫଳାଫଳକୁ ଦେଖିବା ଏହା ସ୍ପଷ୍ଟ ଅନୁମେୟ ଯେ ନନ୍ଦିଗ୍ରାମରେ ଶୁଭେନ୍ଦୁ ବେଶ ଲାକପ୍ରିୟ । ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ଶୁଭେନ୍ଦୁ ତାମଲୁକରୁ ଦୁଇ ଥର ସାଂସଦ ହୋଇଥିଲେ । ଏହି ଲୋକସଭା କ୍ଷେତ୍ର ଅଧିନରେ ନନ୍ଦିଗ୍ରାମ ଆସୁଛି । ୨୦୧୬ ନିର୍ବାଚନରେ ଲଢ଼ିବା ପାଇଁ ଶୁଭେନ୍ଦୁ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।