୨୧ ମାସରେ ବିଜେପୁରବାସୀ ପୁଣି ଥରେ ସାବ୍ୟସ୍ତ କରିବେ ନିଜ ମତାଧିକାର : ବିଗୁଲ ବାଜିବା ପରେ ପ୍ରାର୍ଥୀଙ୍କୁ ନେଇ ଚାଲିଛି ଅଙ୍କକଷା 

249

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନର ବିଗୁଲ୍ ବାଜିଛି। ନିର୍ବାଚନ ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ରାଜନୀତି ବି ସରଗରମ ହୋଇଯାଇଛି। ଦେଢ଼ ବର୍ଷ ଭିତରେ ବିଜେପୁରବାସୀ ତୃତୀୟ ଥର ପାଇଁ ନିଜ ବିଧାୟକ ଚୟନ କରିବାକୁ ଭୋଟ୍ ଦେବେ। ପ୍ରତି ନିର୍ବାଚନରେ ତିନି ଦଳ ପ୍ରାର୍ଥୀ ବଦଳାଉଥିବାରୁ ଏଥର କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ଓ ବିଜେପୁରରେ ବିଭିନ୍ନ ଦଳର ବୈଠକ ବସି ପ୍ରାର୍ଥୀ ଚୟନ ନେଇ ଆଲୋଚନା ଆରମ୍ଭ ହୋଇଛି।

୨୦୧୪ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁବଳ ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ସେତେବେଳେ ବିଜେପି ପ୍ରାର୍ଥୀ ଥିଲେ ଜୟଶଙ୍କର ପଟ୍ଟନାୟକ। ଶ୍ରୀ ସାହୁଙ୍କ ପରଲୋକ ପରେ ବିଜେପୁର ଗଣିତ ଓଲଟପାଲଟ ହୋଇଯାଇଥିଲା। ୨୦୧୮ ଫେବ୍ରୁଆରିରେ ହୋଇଥିବା ଉପନିର୍ବାଚନରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା ବେଳେ କଂଗ୍ରେସ ପ୍ରଣୟ ସାହୁଙ୍କୁ ମଇଦାନକୁ ଛାଡ଼ିଥିଲା। ପ୍ରଚାର ମଇଦାନରେ ବିଜେଡି ଓ ବିଜେପି ବଳା କଷାକଷି ହୋଇଥିଲେ ବି ବିଜେଡି ପ୍ରାର୍ଥୀ ଶ୍ରୀମତୀ ସାହୁ ବଡ଼ ବ୍ୟବଧାନରେ ବିଜୟ ଲାଭ କରିଥିଲେ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ତିନି ଦଳର ପ୍ରାର୍ଥୀ ବଦଳିଥିଲେ। ସମସ୍ତଙ୍କୁ ଚକିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହେଲେ। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ବିଜେପିରୁ ସନତ ଗଡ଼ତିଆ ଓ କଂଗ୍ରେସରୁ ରିପୁନାଥ ସେଠ୍। ଏଠାରେ ଶ୍ରୀ ପଟ୍ଟନାୟକଙ୍କୁ ବିଜୟୀ ହେବାରେ କିଛି ସମସ୍ୟା ହୋଇ ନ ଥିଲା। ଉଭୟ ହିଞ୍ଜିଳି ଓ ବିଜେପୁରରୁ ବିଜେଡି ସୁପ୍ରିମୋ ବାଜିମାତ୍ କଲେ। ବିଜୟୀ ହେବା ପରେ ସେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳିକୁ ରଖି ବିଜେପୁରରୁ ଇସ୍ତଫା ଦେବେ ବୋଲି ହେଉଥିବା ଆକଳନ ବି ସତ ହେଲା। ଶ୍ରୀ ପଟ୍ଟନାୟକ ବିଜେପୁରରୁ ଇସ୍ତଫା ଦେଲା ପରେ ପୁଣି ଏକ ଉପନିର୍ବାଚନ ପାଇଁ ବାଟ ଖୋଲିଲା। ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଥର ପୁଣି ତିନି ଦଳର ପ୍ରାର୍ଥୀ ବଦଳିବେ ନା ପୁରୁଣା ପ୍ରାର୍ଥୀମାନଙ୍କୁ ଦଳ ଭରସା କରିବ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ସାଂଗଠନିକ ଦୃଷ୍ଟିକୋଣରୁ ବିଜେଡି ଅନ୍ୟ ଦୁଇ ଦଳ ଠାରୁ ଆଗରେ ରହିଛି। ଯେହେତୁ ୬ ମାସ ତଳେ ଏଠାରୁ ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ ଓ ନିର୍ବାଚନ ପରେ ଏକାଧିକ ବିକାଶମୂଳକ କାର୍ଯ୍ୟ ଘୋଷଣା କରାଯାଇଛି, ତେଣୁ ବିଜେଡି ପ୍ରାର୍ଥୀଙ୍କୁ ତାହା ସୁହାଇବ ବୋଲି ଦଳ ଆଶା ରଖିଛି। ଉପନିର୍ବାଚନରେ ମାତ୍ର ବର୍ଷେ ପାଇଁ ବିଧାୟକ ହୋଇଥିବା ରୀତା ସାହୁ ପୁଣି ଥରେ ଟିକେଟ୍ ପାଇଁ ଆଶାୟୀ ଅଛନ୍ତି। ତେବେ ତାଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ ଟିକେଟ୍ ପାଇଁ ଲବି ଜୋରଦାର କରିଛନ୍ତି। ପୂର୍ବରୁ ସୁବାସ ଚୌହାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲେ ବି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ଦଳର ସୁପ୍ରିମୋ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି। ପୂର୍ବତନ ସାଂସଦ ପ୍ରଭାସ ସିଂହ ଓ ବରିଷ୍ଠ ନେତା ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି। ତେବେ ଏହା ମଧ୍ୟରେ ଶ୍ରୀ ମିଶ୍ରଙ୍କୁ ଏକ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ତେଣୁ ସୁପ୍ରିମୋ କାହାକୁ ଭରସା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହା ମଧ୍ୟରେ ବିଜେପୁର ନିର୍ବାଚନ ପରିଚାଳନା ପାଇଁ ବିଜେଡି ଚାରି ଜଣିଆ କମିଟି ଗଠନ କରିସାରିଛି। କମିଟି ସଦସ୍ୟ ସଞ୍ଜୟ ଦାସବର୍ମା କହିଛନ୍ତି, କୋର୍ କମିଟି ଖୁବ୍ ଶୀଘ୍ର ପ୍ରାର୍ଥୀ ଚୟନ କରିବ। ଅତୀତରେ ବିଜେଡିକୁ ବିଜେପୁରବାସୀ ସମର୍ଥନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ବରଗଡ଼ ଜିଲ୍ଲାର ଘରେ ଘରେ ପରିଚିତ। ତେଣୁ ଆମେ ଜିତିବା ନିଶ୍ଚିତ।

ଅନ୍ୟପକ୍ଷରେ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ପୁଣି ଥରେ ଦଳ ପ୍ରାର୍ଥୀ କରିବାର ଶତ ପ୍ରତିଶତ ସମ୍ଭାବନା ନାହିଁ। ୨୦୧୮ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଓ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଶ୍ରୀ ପୁରୋହିତଙ୍କ ପ୍ରାର୍ଥିତ୍ବକୁ ଦଳର ରାଜ୍ୟ ନେତୃତ୍ବ ଗୁରୁତ୍ବର ସହ ବିଚାର କରୁଥିବା ଦଳୀୟ ମହଲରେ ଆଲୋଚନା ଚାଲିଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ସ୍ଥାନୀୟ ସମସ୍ୟାକୁ ବିଜେପି ପ୍ରସଙ୍ଗ କରି ଲଢ଼ିବ। ଉପନିର୍ବାଚନରେ ନବୀନ ବାବୁ ଯାହା ସ୍ବପ୍ନ ଦେଖାଇଥିଲେ ତାହାକୁ ପୂରଣ କରି ନାହାନ୍ତି। ବିଜେପି ପ୍ରାର୍ଥୀ ନିଶ୍ଚିତ ଜିତିବେ। ଖୁବ୍ ଶୀଘ୍ର ପ୍ରାର୍ଥୀ ଚୂଡ଼ାନ୍ତ ହେବ।

ନିର୍ବାଚନ ପ୍ରସ୍ତୁତିରେ କଂଗ୍ରେସ ପଛରେ ଥିବା ସହ ଏଠାରେ ଅନ୍ୟ ଦଳ ତୁଳନାରେ ଆଶାୟୀଙ୍କ ସଂଖ୍ୟା ବି କମ୍। ଗତ ଥରର ପ୍ରାର୍ଥୀ ରିପୁନାଥ ସେଠ୍ କିମ୍ବା ତାଙ୍କ ପୁଅ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। ପ୍ରାର୍ଥୀ ଚୟନ ପାଇଁ ପୂର୍ବରୁ କଂଗ୍ରେସର ଟିମ୍ ଗଠନ ହୋଇଥିଲେ ହେଁ ଏହାର କିଛି ଅଗ୍ରଗତି ଘଟିନାହିଁ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେଡି ଓ ବିଜେପି ଗୋଟିଏ ଟେବୁଲରେ ଖାଉଛନ୍ତି। ୨୦୧୮ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯାହା ଯାହା ପ୍ରତିଶ୍ରୁତି ଦେଇ ଭୋଟ୍ ନେଇଥିଲେ, ସେଗୁଡ଼ିକୁ ଆଦୌ ପୂରଣ କରି ନାହାନ୍ତି। ଏହାକୁ ବିଜେପୁରବାସୀ ବୁଝିସାରିଲେଣି। ଏଥରକ ଉପନିର୍ବାଚନରେ ବିଜେଡି କି ବିଜେପି ନୁହେଁ, ପୁଣି ଥରେ କଂଗ୍ରେସକୁ ଫେରାଇ ଆଣିବାକୁ ସେଠାକାର ଭୋଟର୍ ନିଷ୍ପତ୍ତି ନେଇସାରିଛନ୍ତି। ତେଣୁ ଆମର ବିଜୟ ନିଶ୍ଚିତ। ତେବେ ବିଭିନ୍ନ ଦଳର ନେତାଙ୍କ ଏପରି ମନ୍ତବ୍ୟ ପରେ ପ୍ରକୃତରେ ବିଜେପୁର ଆ,ନ କିଏ ଦଖଲ କରିବ ତାହା ଉପରେ ରହିଛି ନଜର ।