ରୋଚକ ମୋଡରେ ଆମେରିକା ରାଷ୍ଟ୍ରପତି ଭୋଟ ଗଣତି । ପରାଜୟ ସ୍ୱିକାର କରିବାକୁ ଟ୍ରମ୍ପ୍ ନାରାଜ । ହ୍ୱାଇଟ୍ ହାଉସ୍ ଦଖଲ କରିବାକୁ ବାଇଡେନ ପ୍ରସ୍ତୁତ

623

କନକ ବ୍ୟୁରୋ : ରୋମାଞ୍ଚକର ସ୍ଥ୍ିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । ଏବେଯାଏଁ ଆମେରିକାର ୫୦ ଟି ରାଜ୍ୟରୁ ୪୩ ଟି ରାଜ୍ୟର ଭୋଟ ଫଳା ଫଳ ଆସି ସାରିଛି । ଏହି ଫଳା ଫଳ ମୁତାବକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପଛରେ ପକାଇଛନ୍ତି ଜୋ-ବାଇଡେନ । ଇଲେକ୍ଟ୍ରୋରାଲ ଭୋଟ ଗଣତି ପରେ ବାଇଡେନଙ୍କୁ ୨୬୪ ଟି ଭୋଟ ମିଳିଥିବା ବେଳେ ଟ୍ରମ୍ପ୍ଙ୍କୁ ୨୧୪ ଟି ଭୋଟ୍ ମିଳିଛି । ହେଲେ ଜିତିବା ପାଇଁ ୨୭୦ ଟି ଇଲେକ୍ଟ୍ରୋରାଲ ଭୋଟର ଆବଶ୍ୟକତା ଥିବା ବେଳେ ଏହି ମ୍ୟାଜିକ୍ ନମ୍ବର କେହି ଛୁଇଁ ପାରି ନାହାନ୍ତି ।

ଅନ୍ୟପଟେ ବାଇଡନ କ୍ଷମତା ହାସଲ ପାଇଁ ମ୍ୟାଜିକ୍ ନମ୍ବର ଆଡକୁ ମୁହାଁଉଥିବା ବେଳେ ଟ୍ରମ୍ପ୍ କିନ୍ତୁ ଏହି ପରାଜୟକୁ ସ୍ୱିକାର କରିବାକୁ ପ୍ରସ୍ତୁତ ନୁହନ୍ତି । ଅସାଧୁ ଉପାୟରେ ବାଇଡେନ ଭୋଟ ଫଳା ଫଳ ପରିବର୍ତ୍ତନ କରିଥିବା ଅଭିଯୋଗ ଆଣି ଟ୍ରମ୍ପ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ପେନସିଲଭେନିଆ ର ମୋଟ ୨୦ ଟି ଭୋଟ, ନର୍ଥକେଶୋଲିନା ୧୫ ଭୋଟ,ଜର୍ଜିଆ ୧୬ ଭୋଟ ଓ ଅଲାସ୍କାର ୩ ଟି ଭୋଟ ଆଗରେ ରହିଛନ୍ତି ଟ୍ରମ୍ପ । ଏସବୁକୁ ମିଶାଇ ଟ୍ରମ୍ପଙ୍କୁ ଆବଶ୍ୟକ ଥିବା ୫୬ ଟି ଭୋଟରୁ ୫୪ ଟି ଭୋଟ ଟ୍ରମ୍ପଙ୍କ ସପକ୍ଷରେ ଯାଉଛି । ହେଲେ ନେବାଦାର ୬ ଟି ଭୋଟ ବାଇଡେନଙ୍କ ସପକ୍ଷରେ ଗଲା ପରେ ବାଇଡେନଙ୍କୁ ଆବଶ୍ୟକ ଥିବା ୬ ଟି ଭୋଟ ପୁରଣ ହେଉଛି । ଫଳରେ ବାଇଡେନଙ୍କ ବିଜୟ ଏକ ପ୍ରକାର ନିଶ୍ଚିନ୍ତ ହୋଇଛି ।  ସେପଟେ ଟ୍ରମ୍ପଙ୍କ ପରାଜୟ ରାସ୍ତା ସମୟାନୁକ୍ରମେ ପରିସ୍କାର ହେଉଥିବା ବେଳେ ହ୍ୱାଇଟ୍ ହାଉସ ସମ୍ମୁଖରେ ବାଇଡେନ ଓ ଟ୍ରମ୍ପଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଛି । ଏହି ଗଣ୍ଡଗୋଳ ଏବେ ହ୍ୱାଇଟ୍ ହାଉସ ବ୍ୟତିତ ବିଭିନ୍ନ ରାଜ୍ୟରେ ଦେଖିବାକୁ ମଳିଲାଣି ।