ରୋହିତଙ୍କୁ ବିଦା କରି କାହାକୁ ଉପ-ଅଧିନାୟକ କରିବାକୁ ଚାହୁଁଥିଲେ କୋହଲି? ୨ଟି ନାଁକୁ ନେଇ ଏବେ ହେଉଛି ଜୋରଦାର ଚର୍ଚ୍ଚା ।

399

କନକ ବ୍ୟୁରୋ : ଟି-୨୦ ଅଧିନାୟକ ପଦ ଛାଡିବା ନେଇ କୋହଲି ଘୋଷଣା କରିବା ପରେ ନୂଆ ଅଧିନାୟକ ଭାବେ ରୋହିତଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଏପରିକି ଆଇପିଏଲରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥର ଚାମ୍ପିୟନ କରିଥିବାରୁ ଅଧିନାୟକ ଭାବେ ଟିମ୍ ଇଣ୍ଡିଆକୁ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚାଇବେ ବୋଲି କୁହାଯାଉଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ କୋହଲି । ଏନେଇ ଚୟନକର୍ତ୍ତାଙ୍କ ସାମ୍ନାରେ ପ୍ରସ୍ତାବ ମଧ୍ୟ ରଖିଥିଲେ । କିନ୍ତୁ ଚୟନକର୍ତ୍ତା ଏଭଳି ପ୍ରସ୍ତାବକୁ ଗ୍ରହଣ ନ କରିବା ପରେ କୋହଲି ଅଧିନାୟକ ପଦ ଛାଡିଥିବା କୁହାଯାଉଛି । ସବୁଠୁ ବଡ କଥା ହେଲା, କୋହଲିଙ୍କ ପରେ ରୋହିତଙ୍କୁ ଟି-୨୦ର ଅଧିନାୟକ କରିପାରେ ବିସିସିଆଇ । ଏଭଳି ସ୍ଥଳେ କିଏ ଟି-୨୦ ଦଳର ଉପ-ଅଧିନାୟକ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରୋହିତଙ୍କ ବଦଳରେ ଦିନିକିଆରେ ରାହୁଲ ଓ ଟି-୨୦ରେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ କରିବାକୁ ଚାହୁଁଥିଲେ କୋହଲି । ଆଉ ବିରାଟ ଅଧିନାୟକ ପଦ ଛାଡିବା ପରେ ମଧ୍ୟ ଉପ-ଅଧିନାୟକ ପଦ ପାଇଁ ଏହି ଦୁଇ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ଆଉ ସବୁଠୁ ବଡ କଥା ହେଲା, ଉଭୟ ରାହୁଲ ଓ ପନ୍ତ ଆଇପିଏଲରେ ନିଜ ଟିମର କ୍ୟାପଟେନ ରହିଛନ୍ତି । ଚଳିତ ଆଇପିଏଲରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରୁ ଯେଉଁ ଦଳ ଭଲ ପ୍ରଦର୍ଶନ କରିବ ସେହି ଦଳର ଅଧିନାୟକ ଟିମ୍ ଇଣ୍ଡିଆର ଟି-୨୦ ଦଳର ଉପ-ଅଧିନାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଉଭୟ ରାହୁଲ ଓ ପନ୍ତ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଥିବା ସଫଳତାରେ ବଡ ଯୋଗଦାନ ଦେଇଛନ୍ତି । ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ବିଜୟରେ ପନ୍ତଙ୍କର ବଡ ଭୂମିକା ରହିଥିବା ବେଳେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରାହୁଲ ଦମଦାର ପ୍ରଦର୍ଶନ କରିଛନ୍ତି । ଏହାଛଡା ଉଭୟ ରାହୁଲ ଓ ପନ୍ତ ଆଇପିଏଲରେ ଅଧିନାୟକ ରହିଥିଲେ ମଧ୍ୟ ସେମାନଙ୍କ ବ୍ୟାଟିଂ ଉପରେ ଏହାର ପ୍ରଭାବ ପଡିନାହିଁ । ଅଥାର୍ତ ଉଭୟ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରୁଛନ୍ତି । ସେହିଭଳି ଏହି ତାଲିକାରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଟି-୨୦ରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ୱିକେଟ ନେଇଥିବା ବୁମରା ଉପ-ଅଧିନାୟକ ପଦ ପାଇଁ ବଡ ଦାବିଦାର ରହିଛନ୍ତି ।