ହାର୍ଦ୍ଦିକ ଫେରିଲେ କଣ କରିବେ ଭେଙ୍କଟେଶ? ବିଶ୍ୱକପ ପାଇଁ କିଏ ହେବ ଦଳର ପ୍ରମୁଖ ଅଲରାଉଣ୍ଡର?

231

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରୁ ନିରାଶ ହୋଇ ଫେରିବା ପରେ ଘରୋଇ ସିରିଜରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଦିନିକିଆ ପରେ ଟି-୨୦ରେ ବି ଭାରତ କ୍ଲିନ ସୁଇପ କରିଛି । ଆଉ ଏହି ସିରିଜରେ ଭାରତ ପାଇଁ ସବୁଠାରୁ ସଫଳ ସାବ୍ୟସ୍ତ ହୋଇଛନ୍ତି ଭେଙ୍କଟେଶ ଆୟର । କାରଣ ଭାରତକୁ ଯେଉଁ ଅଲରାଉଣ୍ଡର ଫିନିସରର ଆବଶ୍ୟକତା ଥିଲା ତାହା ଭେଙ୍କଟେଶଙ୍କ ଭିତରେ ନଜର ଆସିଛି ।

ହେଲେ ଏହି ଖୁସି ଖବର ଭାରତ ପାଇଁ ଟେନସନ ବି ଆଣିପାରେ । ଟି-୨୦ରେ ଭେଙ୍କଟେଶ ଆୟର ନିଜ ସ୍ଥାନ ପକ୍କା କରୁଥିବା ବେଳେ ଭାରତର ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । କୁହାଯାଉଛି ଆଇପିଏଲ ପୂର୍ବରୁ ହାର୍ଦ୍ଦିକ ଫିଟ ହୋଇଯାଇଥିବେ । ଆଉ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ କିଏ ଦଳରେ ସ୍ଥାନ ପାଇବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଶେଷ ସମୟରେ ଆସି ଭେଙ୍କଟେଶ ଦମଦାର ପାଳି ଖେଳିଛନ୍ତି । ପ୍ରଥମ ମ୍ୟାଚରେ ୧୩ ବଲରୁ ୨୪, ଦ୍ୱିତୀୟ ଟି-୨୦ରେ ୧୮ ବଲରୁ ୩୩ ଓ ତୃତୀୟ ଟି-୨୦ରେ ୧୯ ବଲରୁ ୩୫ ରନ କରିଛନ୍ତି । ସେହିପରି ଶେଷ ମ୍ୟାଚରେ ବୋଲିଂ କରି ଦୁଇଟି ୱିକେଟ ମଧ୍ୟ ହାସଲ କରିଛନ୍ତି ।