କିଏ ନେବେ ନିରଞ୍ଜନଙ୍କ ସ୍ଥାନ ? ଖୁବଶୀଘ୍ର ହେବାକୁ ଯାଉଛି ପିସିସି ପରିବର୍ତ୍ତନ ।

171

କନକ ବ୍ୟୁରୋ : ଦୁଇ ଦୁଇଟି ନିର୍ବାଚନରେ ତଳିତଳାନ୍ତ ହୋଇଯାଇଥିବା କଂଗ୍ରେସ ଜାତୀୟ ସ୍ତରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦୁର୍ବଳ ହେଉଥିବା କଂଗ୍ରେସ ଦିଲ୍ଳୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ଏବେ ନିଜର ପରିଚୟ ପାଇଁ ସଂଘର୍ଷ କରୁଛି । କିନ୍ତୁ ଏହାରି ଭିତରେ ପଞ୍ଜାବ, ଉତ୍ତରାଖଣ୍ଡ, ପରେ ଓଡିଶାରେ ପିସିସି ପରିବର୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଖୁବ ଶୀଘ୍ର ରାଜ୍ୟ କଂଗ୍ରେସର ନୂଆ ମୁଖିଆ ମଙ୍ଗ ସମ୍ଭାଳିବେ ବୋଲି କୁହାଯାଉଛି ।

କିଏ ନେବେ ନିରଞ୍ଜନଙ୍କ ସ୍ଥାନ ? ଖୁବଶୀଘ୍ର ହେବାକୁ ଯାଉଛି ପିସିସି ପରିବର୍ତ୍ତନ । ରାଜ୍ୟ କଂଗ୍ରେସର ପ୍ରଦର୍ଶନ ଦିନକୁ ଦିନ ନୈରାଶ୍ୟଜନକ ହେଉଥିବା ବେଳେ ପୁଣି ଥରେ ପିସିସି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଛି । ଦଳର କିଛି ନେତା ମଧ୍ୟ ଖୋଲାଖୋଲି ପିସିସି ସଭାପତି ପରିବର୍ତନ ନେଇ ଯୁକ୍ତି ବାଢିଛନ୍ତି ।

କେବଳ ଯେ ଦଳର ପ୍ରଦର୍ଶନ ତଳକୁ ତଳକୁ ଯାଉଛି, ସେକଥା ନୁହେଁ, ଦଳୀୟ କନ୍ଦଳ ମଧ୍ୟ ବଢ଼ିବାରେ ଲାଗିଛି । ପିସିସି ସଭାପତି ପଦରୁ ଯଦି ନିରଞ୍ଜନଙ୍କୁ ବଦଳାଯାଏ, ତେବେ ତାଙ୍କ ସ୍ଥାନରେ କିଏ ପିସିସି ସଭାପତି ହେବ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । କାରଣ ଏହି ପଦ ପାଇଁ ଦଳରେ ଅନେକ ଆଶାୟୀ ରହିଛନ୍ତି ।

ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା

ଜୟପୁର ବିଧାୟକ ତାରା ବାହିନୀପତି

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ

ଏହି ୪ ନେତା ପିସିସି ସଭାପତି ହେବା ନେଇ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ପିସିସି ସଭାପତି ଭାବେ କାର୍ଯ୍ୟ କରି ସାରିଛନ୍ତି ବରିଷ୍ଠ ନେତା ଶରତ ପଟ୍ଟନାୟକ ଓ ଜୟଦେବ ଜେନା । ୨୦୧୯ ନିର୍ବାଚନରେ ବିଜେଡି ସପକ୍ଷରେ ପ୍ରବଳ ହାୱା ସତ୍ୱେ ନିଜ ଅଂଚଳରେ ଲୋକପ୍ରିୟତା ପ୍ରମାଣ କରିଥିଲେ ମହମ୍ମଦ ମୋକିମ ଓ ତାରା ବାହିନୀପତି । ତେବେ ପୌର ନିର୍ବାଚନରେ ଦଳକୁ ଆଶାନୁରୂପ ସଫଳତା ଦେଇପାରିନାହାନ୍ତି ମୋକିମ୍ ।

ଏପଟେ ପିସିସି ପରିବର୍ତନ ଦାବି ବହୁ ପୁରୁଣା ବୋଲି କହିଛନ୍ତି ନିରଞ୍ଜନ । ତେବେ ତାଙ୍କ କହିବା କଥା, ନୂଆ ନେତୃତ୍ୱ ଆସିଲେ ଦଳ ଅଧିକ ମଜଭୁତ ହେବ । ତେବେ ପିସିସି ପରିବର୍ତନ ହେବ କି ନାହିଁ, ଏ ନେଇ ଚୂଡାନ୍ତ ନିଷ୍ପତି ନେବେ କଂଗ୍ରେସ ହାଇକମାଣ୍ଡ । ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ ପରେ ପଞ୍ଜାବ ଓ ଉତ୍ତରାଖଣ୍ଡରେ ପିସିସି ପରିବର୍ତନ ହୋଇଛି । ଗୋଆ ଓ ମଣିପୁରର ପିସିସି ସଭାପତିଙ୍କୁ ଇସ୍ତଫା ଦେବା ପାଇଁ କହିଛନ୍ତି ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ତେଣୁ ଓଡ଼ିଶାରେ ଖୁବଶୀଘ୍ର ପିସିସି ପରିବର୍ତନ ହେବା ସମ୍ଭାବନା ରହିଛି । ନୂଆ ସଭାପତି ସହ ୩ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିପାରନ୍ତି ହାଇକମାଣ୍ଡ ।