କନକ ବ୍ୟୁରୋ : କିଏ ହେବ ରାଜ୍ୟ କଂଗ୍ରେସର ପରବର୍ତ୍ତୀ ମୁଖିଆ । ଭୁବନେଶ୍ୱରରେ ଏହା ଚୂଡାନ୍ତ ହୋଇନପାରିବା ପରେ ଏବେ ଦିଲ୍ଳୀ ଯାଇଛନ୍ତି କଂଗ୍ରେସ ବିଧାୟକଙ୍କ ସମେତ ଏକାଧିକ ବରିଷ୍ଠ ନେତା । ଆଜି ଦଳୀୟ ବିଧାୟକ ଓ ତୁଙ୍ଗ ନେତାଙ୍କ ସହ ରାହୁଲ ଗାନ୍ଧୀ ବୈଠକ କରିବେ । ସବୁ ନେତାଙ୍କ ମତାମତ ଓ ପରାମର୍ଶ ନେଇ ପିସିସି ସଭାପତି ନାଁରେ ମୋହର ମାରିବେ ବୋଲି ସୂଚନା ମିଳିଛି । ଦଳୀୟ ସଂଗଠନକୁ ଆମୂଳଚୁଳ ପରିବର୍ତନ କରିବା ବୈଠକରେ ମାନସ ମନ୍ଥନ କରିବେ ନେତା ।
କାହାକୁ ସଭାପତି କଲେ ଦଳର ସ୍ଥିତିକୁ ପୁଣି ମଜବୁତ କରି ହେବ ସେ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହେବ । ଏହା ସହ ବିଧାୟକଦଳ ନେତା, କାର୍ଯ୍ୟକାରୀ ସଭାପତି, ପଦାଧିକାରୀଙ୍କ ତାଲିକା ବି ବଦଳିବ ବୋଲି କୁହାଯାଉଛି । କେବଳ ସଂଗଠନ ନୁହେଁ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ବିଷୟରେ ତର୍ଜମା ହେବ । ତେବେ କଂଗ୍ରେସ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି, ଦଳୀୟ ନେତାଙ୍କ ଭିତରେ ଅର୍ନ୍ତକନ୍ଦଳ । ଦିଲ୍ଲୀ ଗସ୍ତରେ ବି ଏହାର ଆଭାସ ଦେଖିବାକୁ ମିିଳିଛି ।
ବଡ କଥା ହେଉଛି କଂଗ୍ରେସର ୯ ଜଣ ବିଧାୟକ ଦୁିଇଟି ଗୋଷ୍ଠୀରେ ଭାଗ ହୋଇ ଦିଲ୍ଲୀ ଗସ୍ତ କରିଥିବା ଜଣା ପଡିଛି । ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ସମର୍ଥକ ବିଧାୟକଙ୍କୁ ନେଇ ପୁର୍ବରୁ ରାଜଧାନୀରେ ଡେରା ପକାଇଥିବା ବେଳେ, ଅନ୍ୟତମ ଦାବିଦାର ମହମ୍ମଦ ମୋକିମ ରବିବାର ଅନ୍ୟ କିଛି ବିଧାୟକଙ୍କ ସହ ଗସ୍ତ କରିଛନ୍ତି । ପୂର୍ବରୁ ସଭାପତି ପଦ ରେସରେ ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ନାଁ ସବୁଠାରୁ ଆଗରେ ଥିବା ଚର୍ଚ୍ଚା ହେଉଥିବା ବେଳେ, ସେ କିନ୍ତୁ ରେସରେ ନଥିବା କଥା କହିଛନ୍ତି । ଅପରପକ୍ଷରେ ବିଧାୟକମାନଙ୍କ ଭିତରୁ ଜଣଙ୍କୁ ସଭାପତି କରିବା ପାଇଁ ଦାବି ମଧ୍ୟ ଉଠିଛି ।