କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍? ବିସିସିଆଇ ପାଖରେ ୩ ହଜାରରୁ ଅଧିକ ଆବେଦନ

834

କନକ ବ୍ୟୁରୋ: ସରିଲା ଡେଡଲାଇନ୍, କିଏ ହେବେ ଟିମ୍ ଇଣ୍ଡିଆର ନୂଆ କୋଚ୍ । ଟି-୨୦ ବିଶ୍ୱକପ ପରେ ସରୁଛି କୋଚ୍ ରାହୁଲ ଦ୍ରବିଡଙ୍କ କାର୍ଯ୍ୟକାଳ । ନୂତନ କୋଚ୍ ଚୟନ ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ମୁଖ୍ୟ ପ୍ରଶିକ୍ଷକ ପାଇଁ ବିସିସିଆଇକୁ ଆସିଛି ୩୦୦୦ରୁ ଅଧିକ ଆପ୍ଲିକେସନ୍ । ସେପଟେ ଗୌତମ ଗମ୍ଭୀରକୁ ନେଇ ଏବେ ବି ସସ୍ପେନସରେ ବିସିସିଆଇ ।

ଟି-୨୦ ବିଶ୍ୱକପ ପରେ ସରୁଛି କୋଚ୍ ଦ୍ରାବିଡଙ୍କ କାର୍ଯ୍ୟକାଳ । ଏହାପରେ କିଏ ହେବେ ଟିମ୍ ଇଣ୍ଡିଆର କୋଚ୍ ସେନେଇ ଆରମ୍ଭ ହୋଇଯାଇଛି ଚୟନ ପ୍ରକ୍ରିୟା । ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନର ଶେଷ ତାରିଖ ମେ ୨୭ ରହିଥିଲା । ଯାହା ଏବେ ଶେଷ ହୋଇସାରିଛି । କୋଚ ପଦ ପାଇଁ ବିସିସିଆଇକୁ ଆସିଛି ୩ହଜାରରୁ ଅଧିକ ଆପ୍ଲିକେସନ୍ । ତଥାପି କିଏ ହେବେ କୋଚ୍ ସେନେଇ ସନ୍ଦେହ ଜାରିରହିଛି । କାରଣ ବିସିସିଆଇ ତରଫରୁ ଏଯାଏ କୌଣସି ବିବୃତି ଆସିନାହିଁ ।

ଟିମ୍ ଇଣ୍ଡିଆର କୋଚ୍ ଦୌଡ଼ରେ ସବୁଠୁ ଆଗରେ ରହିଛି ଗୌତମ ଗମ୍ଭୀରଙ୍କ ନାଁ । ଗମ୍ଭୀର ବର୍ତମାନ ଆଇପିଏଲ ଟାଇଟଲ ବିଜେତା କେକେଆର ଟିମର ମେଂଟର ଭୂମିକାରେ ରହିଛନ୍ତି । ଫାଇନାଲ ପରେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ଗମ୍ଭୀର । ତେଣୁ ଗମ୍ଭୀର ହୁଏତ ଦ୍ରାବିଡଙ୍କ ସ୍ଥାନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ କୋଚ ରେସରେ ନାହାଁନ୍ତି କୌଣସି ବିଦେଶୀ ଖେଳାଳୀ । ଅନ୍ୟପଟେ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ଭିଭିଏସ ଲକ୍ଷ୍ମଣ ବି କୋଚ ଦୌଡରେ ରହିଥିବା ଚର୍ଚ୍ଚା ହେଉଥିଲା । ତେବେ ଲକ୍ଷ୍ମଣ ଫୁଲ ଟାଇମ୍ ପଦ ପାଇଁ ମନାକରିଦେଇଛନ୍ତି । ତେଣୁ ନୂଆ କୋଚ୍ ଚୟନ ପାଇଁ ବିସିସିଆଇ ହୁଏତ ଅଧକ ସମୟ ନେଇପାରେ ।