କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ୟେଦିୟୁରପ୍ପା ଇସ୍ତଫା ଦେବା ପରେ ଚର୍ଚ୍ଚାରେ ୭ଜଣଙ୍କ ନାଁ; ଆଗରେ ଅଛନ୍ତି ମନ୍ତ୍ରୀ ମୁରୁଗେଶ ନିରନି

129

କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦିୟୁରପ୍ପା ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଏବେ ମୁଖ୍ୟମନ୍ତ୍ରୀ ଦୌଡରେ ୭ ଜଣଙ୍କ ନାଁ ରହିଛି । ଆଗରେ ଅଛନ୍ତି ୟେଦିୟୁରପ୍ପାଙ୍କ କ୍ୟାବିନେଟରେ ଖଣି ଓ ଭୂତତ୍ୱ ମନ୍ତ୍ରୀ ଥିବା ମୁରୁଗେଶ ନିରନି । ୫୬ ବର୍ଷୀୟ ମୁରୁଗେଶ ୨୫ ତାରିଖରେ ଦିଲ୍ଲୀରେ ଥିଲେ ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିଲେ । ତେଣୁ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ବରିଷ୍ଠ ବିଜେପି ନେତା ପ୍ରହ୍ଲାଦ ଯୋଶୀ ୨୦୦୪ ଧାରୱାଡା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି । ୧୯୮୮ରୁ କର୍ଣ୍ଣାଟକରେ କେହି ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇନଥିବାରୁ ପ୍ରହ୍ଲାଦ ଯୋଶୀ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଏବଂ ଚିକମଗାଲୁର ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାୟକ ଥିବା ସିଟି ରବିଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ପୂର୍ବରୁ ସେ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ବସଭରାଜ ବୋମ୍ମାଇ । ୟେଦିୟୁରପ୍ପା କ୍ୟାବିନେଟରେ ଗୃହମନ୍ତ୍ରୀ ଥିଲେ । ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର୍ ବୋମ୍ମାଇଙ୍କ ପୁଅ ।

ଅନ୍ୟ ଜଣେ ଲିଙ୍ଗାୟତ ନେତା ହେଉଛନ୍ତି ଅରବିନ୍ଦ ବେଲ୍ଲାଡ । ହୁବଲି-ଧାରୱଡରୁ ୨ ଥର ବିଧାୟକ । ସେ ମଧ୍ୟ ବରିଷ୍ଠ ଆରଏସଏସ୍ ନେତା ଚନ୍ଦ୍ରକାନ୍ତ ବେଲ୍ଲାଡଙ୍କ ପୁଅ । ତେଣୁ ତାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ରହିଛି । ଏହା ବାଦ୍ ଜଗଦୀଶ ଶେଟ୍ଟାରଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ଜଗଦୀଶ ମଧ୍ୟ ୟେଦିୟୁରପ୍ପା କ୍ୟାବିନେଟର ମନ୍ତ୍ରୀ ଥିଲେ । ସେ ମଧ୍ୟ ଲିଙ୍ଗାୟତ ସମ୍ପ୍ରଦାୟର । ସେହିପରି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ମଧ୍ୟ ୟେଦିୟୁରପ୍ପାଙ୍କ ବିକଳ୍ପ ହୋଇପାରନ୍ତି । ଜଣେ ଆରଏସଏସ୍ ପ୍ରଚାରକ ଭାବେ ସେ ୧୯୯୩ରୁ ବଜେପି ସହ ଅଛନ୍ତି । ୨୦୦୬ରେ ସେ ବିଜେପିର କର୍ଣ୍ଣାଟକ ସାଧାରଣ ସମ୍ପାଦକ ହୋଇଥିଲେ ।