କର୍ଣ୍ଣାଟକରେ ବଡ଼ ଧରଣର ରାଜନୈତିକ ହଲଚଲ । ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ୟେଦିୟୁରପ୍ପା ।  କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

151

କନକ ବ୍ୟୁରୋ: ଅନେକ ଦିନର କଳ୍ପନା ଜଳ୍ପନା ଭିତରେ ଶେଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଏସ ୟେଦିୟୁରପ୍ପା । ଗତ କିଛି ଦିନ ଧରି ୟେଦିୟୁରପ୍ପାଙ୍କ ଇସ୍ତଫା ନେଇ କର୍ଣ୍ଣାଟକରୁ ଦିଲ୍ଲୀ ଜୋର ଧରିଥିଲା ରାଜନୀତି । ଅନେକ ଥର ଇସ୍ତଫା କଥାକୁ ଅସ୍ୱୀକାର କରିଥିଲେ ବି ଶେଷରେ ନିଜ ମୁଖ୍ୟମନ୍ତ୍ରୀ ପଦକୁ ଛାଡିଛନ୍ତି ବି ଏସ୍ ୟେଦୁରପ୍ପା ।

ଇସ୍ତଫା ଦେବା ପାଇଁ ତାଙ୍କ ଉପରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ପକ୍ଷରୁ ଚାପ ପଡ଼ୁଥିଲା ବୋଲି କୁହାଯାଉଛି । ୟେଦିୟୁରପ୍ପାଙ୍କ ପରେ କିଏ କର୍ଣ୍ଣାଟକର ମଙ୍ଗ ଧରିବ ତାହା ଏବେ ଏକ ବଡ଼ ପ୍ରଶ୍ନ  । କର୍ଣ୍ଣାଟକର ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ୟେଦିୟୁରପ୍ପା କର୍ଣ୍ଣାଟକ ରାଜନୀତିର ଜଣେ ପୁରୁଖା ଓ ହେଭିୱେଟ ନେତା ।  କର୍ଣ୍ଣାଟକରେ ବିଜେପିକୁ ଶାସନକୁ ଆଣିବାକୁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା  । ତେଣୁ ୟେଦିୟୁରପ୍ପାଙ୍କ ଇସ୍ତଫା ଘୋଷଣା ପରେ ରାଜ୍ୟର ରାଜନୀତିରେ କିଛି ବଡ଼ ଧରଣର ସମୀକରଣ ପରିବର୍ତ୍ତନର ସମ୍ଭାବନାକୁ ଏଡ଼ାଯାଇନପାରେ ।

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ବିଜେପିର କେନ୍ଦ୍ରୀୟ ଟିମ୍ ସମ୍ଭାବ୍ୟ ୭ଜଣଙ୍କ ନାଁ ଉପରେ ଚର୍ଚ୍ଚା କରୁଛି  । ସେମାନେ ହେଲେ…

  • କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଡିଭି ସଦାନନ୍ଦ ଗୌଡା
  • ବିଜେପି ରାଷ୍ଟ୍ରୀୟ ସମ୍ବାଦକ ସି ଟି ରବି
  • ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ବିଏଲ ସନ୍ତୋଷ
  • କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ବିଶ୍ୱେଶ୍ୱର ହେଗଡେ
  • କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭରାଜ ବୋମାଇ
  • କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକା

ସେପଟେ ୟେଦିୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି  । କର୍ଣ୍ଣାଟକରେ ବିଜେପିର ବିଭିନ୍ନ ପକ୍ଷ ଓ ନେତାଙ୍କ ସହ ଆଲୋଚନା କରିବେ ଧର୍ମେନ୍ଦ୍ର  ।