କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଅସିତ ତ୍ରିପାଠୀଙ୍କ ସ୍ଥାନ ନେବ କିଏ ? ପାୱାର କରିଡରରେ ଚର୍ଚ୍ଚା । ରେସର ଆଗରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

201

କନକ ବ୍ୟୁରୋ: କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଏନେଇ ପାୱାର କରିଡରରେ ଚର୍ଚ୍ଚା । ଅସିତ ତ୍ରିପାଠୀଙ୍କ ଜାଗା କିଏ ନେବ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ମୁଖ୍ୟ ଶାସନ ସଚିବ ରେସରେ ଅଛନ୍ତି ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ତଥା ବର୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅସିତ ତ୍ରିପାଠୀଙ୍କୁ ଡିସେମ୍ବର ୩୧ରେ ଅବସର ନେବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ ୨ରୁ ୩ଦିନ ଭିତରେ ନୂଆ ମୁଖ୍ୟଶାସନ ସଚିବ କିଏ ହେବ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାର ଅଛି । ସେପଟେ ସୁରେଶ ମହାପାତ୍ରଙ୍କ ସ୍ଥାନ ବା ଉନ୍ନୟନ କମିଶନର କିଏ ହେବ ସେନେଇ ଦୁଇଟି ନାଁ ଚର୍ଚ୍ଚାରେ ଅଛି । ଜଣେ ହେଉଛନ୍ତି ୧୯୮୭ ମସିହାର ଆଇଏଏସ ତଥା ବର୍ତମାନର କୃଷି ଉତ୍ପାଦ କମିଶନର ରାଜ କୁମାର ଶର୍ମାଙ୍କ ନାଁ ଏବଂ ୧୯୮୮ ବ୍ୟାଚର ଆଇଏଏସ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।