କନକ ବ୍ୟୁରୋ : ନୂଆବର୍ଷରେ ନୂଆ ଶାସନ ମୁଖ୍ୟ । କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ, ଏହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅସିତ ତ୍ରିପାଠୀଙ୍କ ଜାଗା କିଏ ନେବେ ତାକୁ ନେଇ ଜୋରଦାର ଲବି ହେଲାଣି । ବିଶେଷ କରି ଦୁଇଟି ନାଁ ଚର୍ଚ୍ଚାର ଆଗରେ ରହିଛି । ଜଣେ ହେଉଛନ୍ତି ବର୍ତମାନର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର । ଏବଂ ଅନ୍ୟଜଣେ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।
କିନ୍ତୁ ଏହାରି ଭିତରେ ସବୁଠୁ ଆଗରେ ରହିଛନ୍ତି ଦକ୍ଷ ତଥା ପ୍ରଭାବଶାଳୀ ଆଇଏଏସ ଅଫିସର ସୁରେଶ ମହାପାତ୍ର । ତାଙ୍କ ନାଁରେ ମୋହର ମାରି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ଶେଷ ହେବ । ତେଣୁ ତା ପୂର୍ବରୁ ନୂଆ ଶାସନ ମୁଖ୍ୟଙ୍କୁ ନିଯୁକ୍ତି ମିଳିପାରେ । ବରିଷ୍ଠତା ଦୃଷ୍ଟିରୁ ସବୁଠୁ ଆଗରେ ରହିଛନ୍ତି ୧୯୮୬ ବ୍ୟାଚର ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର । ତା ପଛକୁ ବରିଷ୍ଠତା ଭିତିରେ ୧୯୮୭ ବ୍ୟାଚ ଆଇଏଏସ ପ୍ରଦୀପ୍ତ ମହାପାତ୍ରଙ୍କ ନାଁ ଆସୁଛି । ଏମାନଙ୍କଠାରୁ ମଧ୍ୟ ଆହୁରି ବରିଷ୍ଠ ଆଇଏଏସ ଅଧିକାରୀ ଦିଲ୍ଲୀ ଡେପୁଟସନରେ ଅଛନ୍ତି । କିନ୍ତୁ ଗତ ଦୁଇ, ତିନିଥର ହେଲା ଉନ୍ନୟନ କମିଶନର ଥିବା ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ଅବସ୍ଥାପିତ କରାଯାଉଛି । ତେଣୁ ସୁରେଶ ମାହାପାତ୍ରଙ୍କ ପାଳି ପଡିବା ସମ୍ଭାବନା ବଢିଯାଇଛି ।