ମେ’ ୨୩ କହିବ ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ? ଇଭିଏମ ବାକ୍ସରୁ ବାହାରିବ ରାଜ୍ୟବାସୀଙ୍କ ଜନାଦେଶ

203

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମହାଲଢେଇ ପାଇଁ ଘୋଷଣା ହୋଇଛି ତାରିଖ । ୭ଟି ପର୍ଯ୍ୟାୟରେ ହେବାକୁ ଥିବା ମହାଲଢେଇରେ ବାଜି ମାରି କିଏ କ୍ଷମତାର ସିଂହାସନ ଦଖଲ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଖାସକରି ମେ’ ୨୩କୁ ଅପେକ୍ଷା କରି ରହିବେ ଓଡିଶାର ୩ ପ୍ରମୁଖ ଦଳ । କାରଣ ଏହି ଦିନ ହିଁ ସ୍ପଷ୍ଟ ହୋଇଯିବ ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ । କାହା ହାତକୁ ଆସିବ ଶାସନ ଡୋରି ଓ କିଏ ୫ ବର୍ଷ ପର୍ଯ୍ୟନ୍ତ ଜନତାଙ୍କ ସୁଖଦୁଃଖର ସାଥୀ ହୋଇ ଛିଡା ହେବ । ଚଳିତ ଥର ରାଜ୍ୟରେ ତିନି ପ୍ରମୁଖ ଦଳ ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ମେ’୨୩ର ଫଳାଫଳ ହିଁ କହିବ କିଏ ପିନ୍ଧିବ ରାଜତିଳକ । ମେ ୨୩ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦିନ ପ୍ରକାଶ ପାଇବ ରାଜ୍ୟବାସୀଙ୍କ ଜନାଦେଶ । ରାଜ୍ୟବାସୀ କାହାକୁ ନିଜର ରାଜା ବାଛିଛନ୍ତି ତାହା ଇଭିଏମ ବାକ୍ସ ଖୋଲିବା ସହ ଜଣାପଡିବ । ରାଜ୍ୟବାସୀ ଦୀର୍ଘ ୧୯ ବର୍ଷ ଧରି ବିଜେଡିକୁ କ୍ଷମତାର ସିଂହାସନରେ ବସାଇଥିବା ବେଳେ ବିଜେପି ଓ କଂଗ୍ରେସ ଏହି ସିଂହାସନକୁ ଦଖଲ କରିବାକୁ ଓହ୍ଲାଇବେ ନିର୍ବାଚନ ଯୁଦ୍ଧ ମୈଦାନକୁ ।

ରାଜ୍ୟରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।ପ୍ରଥମ ପର୍ଯ୍ୟାୟ ଭୋଟ – ଏପ୍ରିଲ ୧୧ରେ ଅନୁଷ୍ଠିତ ହେବ । ଏହି ଦିନ ଓଡ଼ିଶାର ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୧୮ ତାରିଖରେ ହେବ । ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟ ହେବ । ସେହିପରି ତୃତୀୟ ପର୍ଯ୍ୟାୟ ମତଦାନ – ଏପ୍ରିଲ ୨୩ରେ ଅନୁଷ୍ଠିତ ହେବ । ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୨୯ରେ ଭୋଟ । ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ପାଇଁ ମତଦାନ ହେବ ।

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବା ସହ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ନିର୍ବାଚନ କମିଶନ । ସୋସିଆଲ ମିଡିଆରେ ମଧ୍ୟ ଏହି ଆଚରଣ ବିଧି ମଧ୍ୟ ଲାଗୁ କରାଯିବ । ଗଣତନ୍ତ୍ରର ଏହି ମହାପର୍ବରେ ୯୦ କୋଟି ଭୋଟର ମତଦାନ କରିବେ । ୧୦ ଲକ୍ଷ ବୁଥରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ମତଦାତା । ସବୁ ନିର୍ବାଚନ କେନ୍ଦ୍ରରେ ଇଭିଏମ୍ ମେସିନ୍ ସହ ଭିଭିପାଟ୍ ବ୍ୟବହାର କରାଯିବ । ଇଭିଏମରେ ନିର୍ବାଚନ ଚିହ୍ନ ସହ ସବୁ ପ୍ରାର୍ଥୀଙ୍କ ଫଟୋ ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।