କିଏ ହେବେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଦିଲ୍ଲୀ ବୈଠକ ଉପରେ ସାରା ଓଡିଶାର ନଜର

433

କନକ ବ୍ୟୁରୋ: କିଏ ହେବେ ଓଡିଶାର ପରବର୍ତୀ ମୁଖ୍ୟମନ୍ତ୍ରୀ? ଦିଲ୍ଲୀ ବୈଠକ ଉପରେ ସାରା ଓଡିଶାର ନଜର । ଆଜି ସନ୍ଧ୍ୟାରେ କେନ୍ଦ୍ରୟୀ ନେତୃତ୍ୱଙ୍କ ସହ ଆଲୋଚନା । ଚର୍ଚ୍ଚାର ସବୁଠୁ ଆଗରେ ରହିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ । ଆଜି ଦଳ ପକ୍ଷରୁ ନାଁ ସାମ୍ନାକୁ ଆସିବା ପରେ କାଲି ବସିବ ବିଧାୟକ ଦଳ ବୈଠକ । ନିର୍ବାଚିତ ବିଧାୟକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ବାଛିବେ ନେତା । କେନ୍ଦ୍ରରୁ ଅନୁମୋଦିତ ହୋଇଥିବା ମୁଖ୍ୟମନ୍ତ୍ରୀ ନାଁ ଉପରେ ବିଧାୟକ ଦଳ ବୈଠକରେ ଚୂଡାନ୍ତ ମୋହର ବାଜିବ । ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ବିଧାୟକ ରବି ନାୟକ । ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାତେଇଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନେକ ଚେହେରା ଉପରେ ନଜର ରହିଛି । ତେବେ ବିଧାୟକ ବୈଠକରେ ଏନେଇ ଘୋଷଣା ହୋଇପାରେ । ଆସନ୍ତା ୧୦ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଜନତା ମୈଦାନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ଏନେଇ ଜୋରଦାର ପ୍ରସ୍ତୁତି ମଧ୍ୟ କରାଯାଉଛି । ପ୍ରଥମଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଶପଥ ସମାରୋହରେ ସାମିଲ ହେବାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବହୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ରେସରେ କିଏ?
ଆଜି ଦିଲ୍ଲୀରେ ବସିବ ବୈଠକ
କାଲି ବିଜେପି ବିଧାୟକ ଦଳ ବୈଠକ
ଧର୍ମେନ୍ଦ୍ର ପ୍ରଧାନ, ସାଂସଦ, ସମ୍ବଲପୁର
ସୁରେଶ ପୂଜାରୀ, ବିଧାୟକ, ବ୍ରଜରାଜନଗର
ପ୍ରତାପ ଷଡଙ୍ଗୀ, ସାଂସଦ, ବାଲେଶ୍ୱର
ବୈଜୟନ୍ତ ପଣ୍ଡା, ସାଂସଦ, କେନ୍ଦ୍ରାପଡା