ବିରାଟ କୋହଲିଙ୍କ ପରେ କିଏ? ଟି-୨୦ରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ?

166

କନକ ବ୍ୟୁରୋ: ବିରାଟ କୋହଲି ଟିମ୍ ଇଣ୍ଡିଆର କ୍ୟାପଟେନ୍ ପଦ ଛାଡିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଆସନ୍ତା ଟି-୨୦ ବିଶ୍ୱକପ୍ ପରେ କୋହଲି ଟି-୨୦ ମ୍ୟାଚରେ ଆଉ ଭାରତୀୟ ଦଳର କ୍ୟାପଟେନ୍ ରହିବେ ନାହିିଁ । ତେବେ ପୂୂର୍ବଭଳି କିନ୍ତୁ ସେ ଟେଷ୍ଟ ଓ ଦିନିକିଆରେ କ୍ୟାପଟେନ୍ ପଦ ବଜାୟ ରଖିବେ । ତେବେ ବିରାଟ କୋହଲିଙ୍କ ପରେ ଟି-୨୦ରେ କିଏ ହେବ ଟିମ୍ ଇଣ୍ଡିଆର କ୍ୟାପଟେନ୍ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ମହେନ୍ଦ୍ର ସିଂହ ଧୋନୀଙ୍କ ପରେ କୋହଲି ଟିମ୍ ଇଣ୍ଡିଆର କ୍ୟାପଟେନ୍ ହୋଇଥିଲେ । ଆଉ ଏବେ କୋହଲିଙ୍କ ପରେ ଏହି ପଦ ଦଳର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ମିଳିବା ନେଇ ଆଶା କରାଯାଉଛି । କାହିଁକି ନା ପୂର୍ବରୁ ବି ଅଧିକାଂଶ ଟି-୨୦ ମ୍ୟାଚରେ ବିରାଟ ଅନୁପସ୍ଥିତିରେ ରୋହିତ ଦଳର ମଙ୍ଗ ଧରିଥିଲେ । ଆଉ ଅଧିନାୟକ ଭାବେ ତାଙ୍କର ଟ୍ରାକ୍ ରେକର୍ଡ ମଧ୍ୟ ଭଲ ରହିଛି । ଖାଲି ସେତିକି ନୁହେଁ, ରୋହିତଙ୍କୁ ଅଧିନାୟକ କରିବାକୁ ବିସିସିଆଇ ଶୀର୍ଷ ଅଧିକାରୀ ମାନେ ମଧ୍ୟ ହଁ ଭରିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଆଇପିଏଲରେ ମଧ୍ୟ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରହିଛନ୍ତି । ତାଙ୍କରି ନେତୃତ୍ୱରେ ଦଳ ଆଇପିଏଲର ନମ୍ବର ୱାନ ଦଳ ହେବା ସହିତ ସର୍ବାଧିକ ଥର ଟ୍ରଫି ଜିତିଛି । ତେଣୁ ରୋହିତକୁ ଟିମ୍ ଇଣ୍ଡିଆର ଅଧିନାୟକ ପଦ ମିଳିବା ନେଇ ଆଶା କରାଯାଉଛି । ତେବେ ରୋହିତଙ୍କ ସହିତ ଆଜିଙ୍କ୍ୟ ରାହାଣେ, କେ ଏଲ ରାହୁଲଙ୍କର ମଧ୍ୟ ଅଧିନାୟକ ହେବାର ଦକ୍ଷତା ଥିବାରୁ ଏହି ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଗତ କିଛି ଦିନ ହେଲା ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତାଙ୍କର ଅଧିନାୟକ କରିବାର ତରିକାକୁ ନେଇ ଅନେକ କ୍ରିକେଟର ଓ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ । ଯାହାପରେ ସେ ଖୁବଶୀଘ୍ର ଅଧିନାୟକ ପଦ ଛାଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ତାଙ୍କ ବଦଳରେ କାହାକୁ ଅଧିନାୟକ ପଦ ଦିଆଯିବ ତାକୁ ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ହେଲେ ଆଜି ସେ ହଠାତ୍ ଟି-ଟ୍ୱେଣ୍ଟି ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିବା ସହିତ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।