କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଗେରୁଆ କ୍ୟାମ୍ପରେ କମ୍ପନ ହେଉଛି ଧର୍ମେନ୍ଦ୍ର ଓ ଜେ.ପି ନଡ୍ଡାଙ୍କ ନାଁ ।

528

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଶୀର୍ଷ ପଦ ପାଇଁ ହୁଏତ, ପ୍ରଥମ ଥର ପାଇଁ ଜଣେ ଓଡ଼ିଶାର ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଛି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋରଧରିଛି । ଯଦି ବର୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କେନ୍ଦ୍ରରେ ମନ୍ତ୍ରୀ ହୁଅନ୍ତି, ତେବେ ଜେ.ପି.ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନ ଶାହାଙ୍କ ଉତରାଧିକାରୀ ଭାବେ ଦାୟିତ୍ୱ ନେଇପାରନ୍ତି ।

ବଡ଼ କଥା ହେଉଛି ପ୍ରାୟ ୪ ଦଶନ୍ଧୀର ବିଜେପି ଇତିହାସରେ ଓଡ଼ିଶାର କୌଣସି ନେତା ଦଳର ଶୀର୍ଷ ଆସନରେ ବସିବାର ସୁଯୋଗ ପାଇ ନାହାଁନ୍ତି । ଆଉ ଏବେ ଧର୍ମେନ୍ଦ୍ରଙ୍କ ନାଁ ଏଇଥି ପାଇଁ ଚର୍ଚ୍ଚା ହେଉଛି, କାରଣ ବିଜେପିର ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ ନୀତି ଆଧାରରେ ଅମିତ ଶାହା ଯଦି କେନ୍ଦ୍ରରେ ମନ୍ତ୍ରୀ ହୁଅନ୍ତି, ତେବେ ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପଡିବ ।

ସେପଟେ ଧର୍ମେନ୍ଦ୍ରଙ୍କ ବ୍ୟତୀତ ବିଜେପିର ବରିଷ୍ଠ ନେତା ଜେ.ପି ନଡ୍ଡାଙ୍କ ନାଁ ମଧ୍ୟ ଏହି ଚର୍ଚ୍ଚାରେ ରହିଛି । ଅମିତ ଶାହା ଦ୍ୱିତୀୟ ଥର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜେ.ପି ନଡ୍ଡାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ଆଉ ଏହାରି ଭିତରେ ଆସନ୍ତା ୩୦ ତାରିଖରେ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ନୂଆ ଟିମରେ କାହାକୁ ମିଳିବ ସ୍ଥାନ? ଓଡ଼ିଶାର କେଉଁ ସାଂସଦ ପାଇବେ ମନ୍ତ୍ରିପଦ? ଏହି ଚର୍ଚ୍ଚା ଭିତରେ ୪ଜଣଙ୍କ ନାଁ ଚର୍ଚ୍ଚା ରହିଛି । ସୁରେଶ ପୂଜାରୀ, ବରଗଡ଼ ଲୋକସଭା ସାଂସଦ, ପ୍ରତାପ ଷଡଙ୍ଗୀ, ବାଲେଶ୍ୱର ଲୋକସଭା ସାଂସଦ, ଜୁଏଲ ଓରାମ, ସୁନ୍ଦରଗଡ଼ ଲୋକସଭା ସାଂସଦ, ଏବଂ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ସାଂସଦ ।

ବିଜେପି ରାଷ୍ଟୀୟ ସାଧାରଣ ସଂପାଦକ ଥିବା ସୁରେଶ ପୂଜାରୀ ବରଗଡ଼ରେ ବିଜେଡିର ଚକ୍ରବ୍ୟୁହକୁ ଭେଦକରି ଲୋକସଭାଙ୍କୁ ନିର୍ବାଚିତ ହୋଇଥିବା ବେଳେ ବାଲେଶ୍ୱରରେ ବିଜେଡି ସାଂସଦକୁ ପରାସ୍ତ କରି ବିଜୟୀ ହୋଇଛନ୍ତି ପ୍ରତାପ ଷଡଙ୍ଗୀ । ସେହିପରି ଭୁବନେଶ୍ୱରରୁ ଅପରାଜିତା ଏବଂ ସୁନ୍ଦରଗଡ଼ରୁ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲ ଓରାମ ବିଜେପି ପାଇଁ ବିଜୟ ଆଣି ଦେଇଛନ୍ତି । ୨୦୧୪ରେ ଓଡ଼ିଶାରୁ ଜଣେ ସାଂସଦ ନିର୍ବାଚିତ ହୋଇଥିବା ବେଳେ ୨ଜଣ ଓଡ଼ିଆଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମିଳିଥିଲା, ଏବେ ଦେଖିବାର କଥା ଏଥର ୮ଜଣ ସାଂସଦ ଦେଇଥିବା ଓଡ଼ିଶାକୁ କେତୋଟି ମନ୍ତ୍ରୀ ପଦ ମିଳୁଛି ।