କନକ ବ୍ୟୁରୋ : ବିରାଟ କୋହଲି ସବୁ ଫର୍ମାଟରୁ ଅଧିନାୟକ ପଦ ଛାଡିବା ପରେ ଏବେ ଉଭୟ ଦିନିକିଆ ଓ ଟି-୨୦ରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି । ତେବେ ଟେଷ୍ଟ ଅଧିନାୟକ କିଏ ହେବ ତାହାକୁ ନେଇ ଏଯାଏଁ ନିଷ୍ପତ୍ତି ହୋଇନାହିଁ । ଯାହା ବିସିସିଆଇର ଚିନ୍ତାକୁ ବଢାଇ ଦେଇଛି । କାରଣ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ ପଦ ଦେବା ନେଇ ଏଯାଏଁ କୌଣସି ନିଷ୍ପତି ନିଆଯାଇନାହିଁ । ଏଭଳିସ୍ଥଳେ ଭାରତୀୟ ଟେଷ୍ଟ ଟିମର ନୂଆ ଅଧିନାୟକ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ବିରାଟଙ୍କ ଟେଷ୍ଟ ଅଧିନାୟକ ସ୍ଥାନ ନେବାକୁ ଟିମ୍ ଇଣ୍ଡିଆରେ ଅନେକ ଚେହେରା ରହିଛନ୍ତି । ଖାସକରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜିରେ କଷ୍ଟସାଧ୍ୟ ପିଚରେ ଶତକ ମାରି ନିଜକୁ ପ୍ରମାଣିତ କରିଛନ୍ତି ରିଷଭ ପନ୍ତ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲା ଭାରତ । ଆଉ ରିଷଭଙ୍କ ଏହି ଅନ୍ଦାଜ ମଧ୍ୟ କ୍ରିକେଟପ୍ରେମୀ ବେଶ ପସନ୍ଦ କରିଛନ୍ତି । ଏପରିକି ରିଷଭଙ୍କୁ ନୂଆ ଟେଷ୍ଟ ଅଧିନାୟକ କରାଯାଉ ବୋଲି ଦାବି ଉଠିଛି ।
କ୍ରିକେଟପ୍ରେମୀଙ୍କ ଏହି ଦାବିକୁ ବଳ ଯୋଗାଇଛି ସୁନୀଲ ଗାଭାସ୍କରଙ୍କ ବୟାନ । ଗାଭାସ୍କର କହିଛନ୍ତି, ରିଷଭ ପନ୍ତ ଗତ କିଛି ବର୍ଷରେ ନିଜ ଖେଳକୁ ନେଇ ଅନେକଙ୍କୁ ପ୍ରଭାବିତ କରିଛନ୍ତି । ତେଣୁ ତାଙ୍କୁ ଅଧିନାୟକ ପାଇଁ ବାଟ ଛାଡିବା ଉଚିତ୍ । ମନସୁର ଅଲ୍ଲୀ ପଟୌଦି ଖାନଙ୍କୁ ମଧ୍ୟ ଖୁବ କମ ବୟସରେ ଅଧିନାୟକ କରାଯାଇଥିଲା । ଆଉ ତାଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ଲାଭ କରିଥିଲା । ଆଉ ପନ୍ତ ମଧ୍ୟ ସେଭଳି କରିପାରିବେ ।
ଏହାଛଡା ରୋହିତଙ୍କୁ ୩୪ ବର୍ଷ ହେଲାଣି । ତେଣୁ ବିସିସିଆଇ ଯଦି ଭବିଷ୍ୟତ ବାବଦରେ ଚିନ୍ତା କରୁଥିବ ତେବେ ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ କରିନପାରେ । କାରଣ ଆଉ ମାତ୍ର ଅଳ୍ପ କେଇ ବର୍ଷ କ୍ରିକେଟ ଖେଳିପାରନ୍ତି ରୋହିତ । ଏଭଳିସ୍ଥଳେ ୨୪ ବର୍ଷୀୟ ରିଷଭ ପନ୍ତଙ୍କୁ ସୁଯୋଗ ମିଳିବା ଉଚିତ ବୋଲି କୁହାଯାଉଛି । କାରଣ ଭାରତୀୟ କ୍ରିକେଟ ସହ ଆହୁରି ଅନେକ ବର୍ଷ ଖେଳିବେ ପନ୍ତ । ଏହାପୂର୍ବରୁ କୋହଲିଙ୍କୁ ୨୭ ବର୍ଷ ବୟସରେ ଟେଷ୍ଟ ଅଧିନାୟକ ଦାୟିତ୍ୱ ମିଳିଥିଲା । ଆଉ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିଲା ।