କନକ ବ୍ୟୁରୋ: କିଏ ହେବେ ନୂଆ ବାଚସ୍ପତି? କାହାକୁ ମିଳିବ ଲୋକସଭାର ଗୁରୁ ଦାୟିତ୍ୱ? ରବିବାର ମୋଦୀଙ୍କ ନୂଆ କ୍ୟାବିନେଟ୍ ଶପଥ ଗ୍ରହଣ ପରେ, ଏବେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ବଢିଛି । ତେବେ ବାଚସ୍ପତି ରେସରେ ଏବେ ଅନେକ ଚେହେରା ଆଗରେ ରହିଛନ୍ତି । ବିଜେପିର ଦୁଇରୁ ତିନି ଜଣ ନେତା ବାଚସ୍ପତି ପଦ ପାଇଁ ଦାବିଦାର ଥିବାବେଳେ, ଜେଡିୟୁ ଏବଂ ଟିଡିପିର ନଜର ମଧ୍ୟ ବାଚସ୍ପତି ପଦ ଉପରେ ରହିଛି । ତେଣୁ ମୋଦୀ ସରକାର କାହାକୁ ନୂଆ ବାଚସ୍ପତି ବାଛୁଛି ତାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ବଢିଛି ।

ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଆସନ୍ତା ଜୁନ୍ ୧୮ ତାରିଖରେ ନୂଆ ସରକାର ସଂସଦର ଗ୍ରୀଷ୍ମକାଳୀନ ଅଧିବେଶନ ଡାକିପାରେ । ଯେଉଁଠି ନୂଆ ସଂସଦଙ୍କ ଶପଥ ଗ୍ରହଣ ସହ ନୂଆ ବାଚସ୍ପତିଙ୍କ ଚୟନ ମଧ୍ୟ ହେବ । ତେବେ ଏଥର ବାଚସ୍ପତି ପଦ ପାଇଁ ବିଜେପି ସାଂସଦ ଓମ୍ ବିର୍ଲାଙ୍କ ନାଁ ସବୁଠୁ ଉପରେ ରହିଛି । କାହିଁକି ନା, ଜୋରଦାର ଚର୍ଚ୍ଚା ହେଉଥିବା ସତ୍ତ୍ୱେ ମଧ୍ୟ ଓମ୍ ବିର୍ଲାଙ୍କୁ ଏଥର ମୋଦୀ କ୍ୟାବିନେଟରେ ସାମିଲ କରାଯାଇନି । ତେଣୁ ତାଙ୍କୁ ବାଚସ୍ପତି ପଦ ପୁଣିଥରେ ମିଳିପାରେ ବୋଲି କୁହାଯାଉଛି । ସେହିପରି ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ ମଧ୍ୟ ବାଚସ୍ପତି ରେସରେ ରହିଛନ୍ତି । ହେଲେ ଏଥର ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିନଥିବାରୁ, କାହାକୁ ବାଚସ୍ପତି ପଦ ମିଳିବ ତାକୁ ନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରୁନି ।

ଗୋଟିଏ ପଟେ ବିଜେପି ନିଜର ନେତାଙ୍କୁ ବାଚସ୍ପତି ପଦରେ ବସାଇବାକୁ ଅଙ୍କ କଷୁଥିବାବେଳେ, ଅନ୍ୟପଟେ ଏଥର ମୋଦୀ ସରକାରକୁ ସାହା ହେଇଥିବା ଦୁଇ ଦଳ ନୀତିଶଙ୍କ ଜେଡିୟୁ ଏବଂ ନାଇଡୁଙ୍କୁ ଟିଡିପି ବାଚସ୍ପତି ପଦ ଉପରେ ଆଖି ରଖିଛନ୍ତି । ଚର୍ଚ୍ଚା ହେଉଛି, ଏହି ଦୁଇ ଦଳ ଏବେ ନିଜ ନିଜର ନେତାଙ୍କୁ ବାଚସ୍ପତି ସିଟରେ ବସାଇବାକୁ ଲବି କରୁଛନ୍ତି । ଆଉ ବିଜେପି ଯେହେତୁ ଏହି ଦୁଇ ଦଳର ସଂଖ୍ୟା ବଳରେ ସରକାର ଗଠନ କରିଛି, ତେଣୁ ତାଙ୍କ ଦାବିକୁ ମଧ୍ୟ ନଜର ଅନ୍ଦାଜ କରିପାରୁନି ।

ଜାଣିରଖିବା ଉଚିତ୍ ଯେ, ଲୋକସଭା ଅଧିବେଶନର ପ୍ରଥମ ଦିନରେ ନୂଆ ସାଂସଦଙ୍କ ଶପଥ ଗ୍ରହଣ ସହିତ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ପ୍ରଥମେ କାମଚଳା ବାଚସ୍ପତି ନୂଆ ସାଂସଦଙ୍କ ଶପଥ ପାଠ କରେଇବା ପରେ, ନୂଆ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ଗତ ଦୁଇ ପାଳିରେ ବିଜେପି ପାଖରେ ପୂର୍ଣ୍ଣ ବହୁମତ ଥିବାରୁ ଦଳ ନିଜର ନେତାଙ୍କୁ ହିଁ ବାଚସ୍ପତି ଆସନରେ ବସାଉଥିଲା । ୨୦୧୪ରେ ସୁମିତ୍ରା ମହାଜନ ଏବଂ ୨୦୧୯ରେ ଓମ୍ ବିର୍ଲା ବାଚସ୍ପତି ପଦରେ ବସିଥିଲେ । ହେଲେ ଏଥର କିଏ ନୂଆ ବାଚସ୍ପତି ଆସନରେ ବସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।