ନୂଆବର୍ଷରେ ବିଜେପି ପାଇବ ନୂଆ ମଙ୍ଗୁଆଳ? ସଭାପତି ରେସରେ ଆଗରେ ସମୀର ଓ କନକ, ଦିଲ୍ଲୀ ଦରବାରରେ କାହା ନାଁରେ ମୋହର ମାରିବେ ବିଜେପି ଚାଣକ୍ୟ?

733

କନକ ବ୍ୟୁରୋ : ନୂଆବର୍ଷରେ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ । ତେବେ କିଏ ହେବ ରାଜ୍ୟ ବିଜେପି ସଭାପତି । ଏନେଇ ବିଜେପି କରିଡରରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ବସନ୍ତ ପଣ୍ଡାଙ୍କ ପରେ କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ, ଏନେଇ ଅନେକ ନାଁ ସାମ୍ନାକୁ ଆସିଛି । କିନ୍ତୁ ରେସରେ ଆଗରେ ରହିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଓ ପୂର୍ବତନ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓ । ଜଣେ ଉପକୂଳରୁ ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମ ଓଡିଶାର ଟାଣୁଆ ନେତା ।

୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ନେତାଙ୍କ ହାତରେ ରହିଛି ରାଜ୍ୟ ପଦ୍ମ ଶିବିରର ଦାୟିତ୍ୱ । ତେଣୁ ଚଳିତଥର ଉପକୂଳ ଓଡିଶାର ନେତାଙ୍କୁ ବିଜେପି ସଭାପତି ପଦରେ ବସାଇବାକୁ ଦଳୀୟ ଥିଙ୍କଟ୍ୟାଙ୍କ ଚେଷ୍ଟା ଚଳାଇଥିବା ଚର୍ଚ୍ଚା ହେଉଛି । ଆଉ ଉପକୂଳ ଓଡିଶା କୋଟାରୁ ସମୀରଙ୍କ ନାଁ ସର୍ବାଗ୍ରେ ଆସୁଛି । ବିଜେପିର ଉପସଭାପତି ରହିଥିବା ସମୀର ଦୀର୍ଘଦିନ ଧରି ଦଳ ପାଇଁ କାମ କରି ଆସୁଛନ୍ତି । ସଂଘ ପରିବାରର ଏହି ଆଗ ଧାଡିର ନେତା ୨୦୧୯ରେ ନିର୍ବାଚନ ଲଢିବାକୁ ସୁଯୋଗ ପାଇନଥିବା ବେଳେ ସଭାପତି ପଦ ଦେଇ ତାଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପିର କିଛି ଗୋଷ୍ଠୀ ପ୍ରୟାସ ଚଳାଇଛନ୍ତି ।

ଏହାଛଡା ସମୀରଙ୍କୁ ଏହି ଗୁରୁଦାୟିତ୍ୱ ଦେଇ ଉପକୂଳ ଭୋଟବ୍ୟାଙ୍କ ବଢାଇବାକୁ ଯୋଜନା କରୁଛି ବିଜେପି । କାରଣ ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଉପକୂଳ ଓଡିଶାରେ ନିଜର ପ୍ରଭାବ ବିସ୍ତାର କରିଛି ପଦ୍ମ ଦଳ । ତେଣୁ ଉପକୂଳ ନେତାଙ୍କୁ ସଭାପତି କରି ଦଳର ସ୍ଥିତିକୁ ସୁଦୃଢ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ଶୁଣିବାକୁ ମିଳୁଛି । ଏହାଛଡା ରାଜ୍ୟ ବିଜେପିର ପ୍ରଭାବଶାଳୀ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ଗୁଡବୁକରେ ଥିବାରୁ ସମୀରଙ୍କ ପାଇଁ ଦିଲ୍ଲୀ ଲବି ମଧ୍ୟ ବେଶ ସହଜ ହେବ । ତେଣୁ ସମୀରଙ୍କୁ ନେଇ ବଡ ବାଜି ଖେଳିପାରେ ବିଜେପି ।

ଅନ୍ୟପଟେ କନକ ବର୍ଦ୍ଧନ ସିଂହଦେଓଙ୍କୁ ନେଇ ମଧ୍ୟ କମ ଚର୍ଚ୍ଚା ହେଉନାହିଁ । ପଶ୍ଚିମ ଓଡିଶାର ଏହି ଟାଣୁଆ ନେତାଙ୍କୁ ପୁଣିଥରେ ପଦ୍ମ ଦଳର ମୁଖିଆ କରିବାକୁ ଏବେଠୁ ଦିଲ୍ଲୀରେ ଲବି ଆରମ୍ଭ ହେଲାଣି । ସଭାପତି ଭାବେ କନକଙ୍କ କ୍ୟାରିୟର ଗ୍ରାଫ୍ ଏତେ ଭଲ ନଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ବଡ ସଙ୍ଗଠକ ଭାବେ ଏହି ରେସରେ ସେ ଆଗରେ ରହିଛନ୍ତି । କେଭି ସଭାପତି ଥିବା ସମୟରେ ଦଳ ଏତେଟା ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଏବେ ରାଜ୍ୟ ବିଜେପିରେ ଚାଲିଥିବା ଗୋଳମାଳିଆ ସ୍ଥିତି ତାଙ୍କୁ ବେଶ ସୁହାଇବ ବୋଲି କୁହାଯାଉଛି । ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ ରହିଥିବା ବେଳେ କେଭିଙ୍କୁ ଏହାର ଫାଇଦା ମିଳିପାରେ । ରାଜ୍ୟ ବିଜେପିର ୩ ପ୍ରଭାବଶାଳୀ ଗୋଷ୍ଠୀ ସହ କନକ ଯୋଗସୁୂତ୍ର ରକ୍ଷା କରିପାରିବେ ଓ ସମସ୍ତଙ୍କୁ ସାଥୀରେ ନେଇ ଦଳକୁ ଆଗକୁ ବଢିପାରିବେ, ଯାହା କନକଙ୍କୁ ଏହି ରେସରେ ଫ୍ରଣ୍ଟଫୁଟରେ ରଖିଛି । ଏହାଛଡା ୨୦୧୯ରେ କେଭି ପରାସ୍ତ ହୋଇଥିବାରୁ ତାଙ୍କୁ ସଭାପତି ପଦ ଦେଇ ଥଇଥାନ କରିବାକୁ ଦିଲ୍ଲୀ ଦରବାରରୁ ଆସିପାରେ ନିର୍ଦ୍ଦେଶ ।

ଅନ୍ୟପଟେ ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ନାଁ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି । ଜୁଏଲଙ୍କ ପାଇଁ ମଧ୍ୟ କିଛି ଗୋଷ୍ଠୀ ଲବି କରୁଥିବାର ଖବର ସାମ୍ନାକୁ ଆସିଛି । ସେହିପରି ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏହି ରେସରେ ଅଛନ୍ତି । ଅନ୍ୟପଟେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ କିଛି ନେତା ମଧ୍ୟ ସଭାପତି ରେସରେ ଥିବା ନେଇ ବିଜେପି ଅନ୍ଦର ମହଲରେ ହେଉଛି ଜୋରଦାର ଚର୍ଚ୍ଚା ।

ଏସବୁ ଲବି ଭିତରେ ଆରମ୍ଭ ହୋଇଯାଇଛି ଭାରତୀୟ ଜନତା ପାର୍ଟିର ସାଂଗଠନିକ ପ୍ରକିୟା । ବିଭିିନ୍ନ ଜିଲ୍ଲାର ଜିଲ୍ଲା ସଭାପତି, ବରିଷ୍ଠ ନେତା ଓ ପ୍ରଭାରୀଙ୍କୁ ନେଇ ଚାଲିଛି ଘନ ଘନ ବୈଠକ । ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ନେତାଙ୍କ ହାତରେ ରହିଛି ରାଜ୍ୟ ନେତୃତ୍ୱର ଦାୟିତ୍ୱ । ୨୦୧୯ ନିର୍ବାଚନରେ ଉପକୂଳ ଓ ଉତର ଓଡିଶାର ପ୍ରଦର୍ଶନ ବେଶ ଭଲ ନଥିଲା । ତେଣୁ ଏ ସବୁ ଅଂଚଳରେ ସଂଗଠନ ମଜୁବତ କରିବା ପାଇଁ ନେତୃତ୍ୱ ପରିବର୍ତନ କରି ଉପକୂଳିଆ ନେତାଙ୍କୁ ମିଳିପାରେ ସଭାପତି ଦାୟିତ୍ୱ ବୋଲି ଚର୍ଚ୍ଚା ହେଉଛି । ଡିସେମ୍ବର ୨୨ ସୁଦ୍ଧା ସରିବ ବିଜେପିର ସାଂଗଠନିକ ପ୍ରକିୟା । ଜିଲ୍ଲା ସଭାପତି, ପ୍ରଭାରୀ ଓ ରାଜ୍ୟ ନେତୃମଣ୍ଡଳୀଙ୍କ ରିପୋର୍ଟକୁ ଦିଲ୍ଲୀକୁ ପଠାଯିବ । ସଭାପତି କିଏ ହେବ ସେନେଇ ଚୂଡାନ୍ତ ଘୋଷଣା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।