କନକ ବ୍ୟୁରୋ: କିଏ ହେବ ରାଜ୍ୟ କଂଗ୍ରେସର ପରବର୍ତ୍ତୀ ମୁଖିଆ । ଆଜି ସନ୍ଧ୍ୟାରେ ହୋଇପାରେ ଚୁଡ଼ାନ୍ତ । ଓଡ଼ିଶାରୁ ଦିଲ୍ଲୀ ଯାଇଥିବା କଂଗ୍ରେସ ବିଧାୟକ ଓ ନେତା ସନ୍ଧ୍ୟାରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ରେସରେ ବିଧାୟକ ମହମ୍ମଦ ମୋକିମ୍, ଭକ୍ତ ଦାସ, ଶରତ ପଟ୍ଟନାୟକଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି ।

Advertisment

ଭୁବନଶ୍ୱରରେ ପରବର୍ତ୍ତୀ ପିସିସି ସଭାପତିଙ୍କ ନାଁ ଚୂଡାନ୍ତ ହୋଇନପାରିବା ପରେ ହାଇକମାଣ୍ଡଙ୍କ ଡାକରା ପାଇ ଦିଲ୍ଳୀ ଯାଇଛନ୍ତି କଂଗ୍ରେସ ବିଧାୟକଙ୍କ ସମେତ ଏକାଧିକ ବରିଷ୍ଠ ନେତା । ଆଜି ଦଳୀୟ ବିଧାୟକ ଓ ତୁଙ୍ଗ ନେତାଙ୍କ ସହ ରାହୁଲ ଗାନ୍ଧୀ ବୈଠକ କରିବେ । ସବୁ ନେତାଙ୍କ ମତାମତ ଓ ପରାମର୍ଶ ନେଇ ପିସିସି ସଭାପତି ନାଁରେ ମୋହର ମାରିବେ ବୋଲି ସୂଚନା ମିଳିଛି ।

ଦଳୀୟ ସଙ୍ଗଠନକୁ ଆମୂଳଚୁଳ ପରିବର୍ତନ କରିବା ନେଇ ବୈଠକରେ ମାନସ ମନ୍ଥନ କରିବେ ନେତା । କାହାକୁ ସଭାପତି କଲେ ଦଳର ସ୍ଥିତିକୁ ପୁଣି ମଜବୁତ କରି ହେବ ସେନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହେବ । ଏହା ସହ ବିଧାୟକ ଦଳ ନେତା, କାର୍ଯ୍ୟକାରୀ ସଭାପତି, ପଦାଧିକାରୀଙ୍କ ତାଲିକା ବି ବଦଳିବ ବୋଲି କୁହାଯାଉଛି । କେବଳ ସଂଗଠନ ନୁହେଁ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ବିଷୟରେ ତର୍ଜମା ହେବ । ତେବେ କଂଗ୍ରେସ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି, ଦଳୀୟ ନେତାଙ୍କ ଭିତରେ ଅର୍ନ୍ତକନ୍ଦଳ ।