କନକ ବ୍ୟୁରୋ : ପୁଣି ବଢିଲା ଆଗାମୀ ଡିଜିପିଙ୍କୁ ନେଇ ଚର୍ଚ୍ଚା । ଆଇପିଏସ୍ ବି. ରାଧିକା ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ହେବା ପରେ ଡିଜିପି ଆଉ କେହି ହେବା ସମ୍ଭାବନା ବଢିଛି । ୧୯୮୯ ବ୍ୟାଚର ଏହି ଆଇପିଏସ ଅଧିକାରୀ ନିକଟରେ କେନ୍ଦ୍ର ଡେପୁଟେସନରୁ ଫେରିଥିଲେ । ଜୁଲାଇ ୨୦୨୪ ଯାଏଁ ତାଙ୍କର କାର୍ଯ୍ୟକାଳ ରହିଛି । ତେଣୁ ବରିଷ୍ଠତା ଦୃଷ୍ଟିରୁ କୁହାଯାଉଥିଲା ବି. ରାଧିକା ହିଁ ହେବେ ଏବେର ଡିଜିପି ସୁନୀଲ ବଂଶଲଙ୍କ ଉତରାଧିକାରୀ ।
ଏହି ପଦ ପାଇଁ ୭ ଜଣ ଆଇପିଏସ ଅଧିକାରୀଙ୍କ ନାଁ କେନ୍ଦ୍ରକୁ ରାଜ୍ୟ ସରକାର ସୁପାରିସ କରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ରେସରେ ୱାଇ. ବି ଖୁରାନିଆ ଏବଂ ଏ. ଏମ ପ୍ରସାଦ ରହିଛନ୍ତି । ଏ. ଏମ୍. ପ୍ରସାଦ ୧୯୮୯ ବ୍ୟାଚର ଆଇପିଏସ ଅଫିସର ବର୍ତମାନ ସେ ଜେଲ ଡିଜି ଦାୟିତ୍ୱରେ ଅଛନ୍ତି । ଅଗଷ୍ଟ ୨୦୨୫ ଯାଏଁ ତାଙ୍କର କାର୍ଯ୍ୟକାଳ ରହିଛି । ୱାଇ. ବି. ଖୁରାନିଆ ୧୯୯୦ ବ୍ୟାଚର ଆଇପିଏସ ଅଫିସର । ଏବେ ଦିଲ୍ଲୀରେ ବିଏସଏଫ୍ ୱେଷ୍ଟର୍ଣ୍ଣ କମାଣ୍ଡର ସ୍ୱତନ୍ତ୍ର ଡିଜି ଅଛନ୍ତି । ପୂର୍ବରୁ ସେ ଟ୍ୱିନ ସିଟିର ପୁଲିସ କମିଶନର ଦାୟିତ୍ୱରେ ଥିଲେ । ଖୁରାନିଆ ପୂର୍ବରୁ ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ବି. ରାଧିକା ରେସରୁ ବାଦ ପଡିଛନ୍ତି ବୋଲି କୁହାଯାଇପାରିବ ନାହଁ । କାରଣ ନଭେମ୍ବର ୮ରୁ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି । ତେଣୁ ମାସେ ହେବ ତାଙ୍କୁ କୌଣସି ପଦ ପଦବୀ ମିଳିନଥିବାରୁ ରାଜ୍ୟ ସରକାର ପୋଲିସ ନିଯୁକ୍ତି ବୋର୍ଡର ଦାୟିତ୍ୱ ଦେଇଛନ୍ତି ବୋଲି କୁହାଯାଉଛି ।