କିଏ ହେବ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ: ଶପଥ ଗ୍ରହଣ ଉତ୍ସବ ପାଇଁ ବନ୍ଧା ଚାଲିଛି ମଞ୍ଚ । ହେଲେ, ସ୍ପଷ୍ଟ ହେଉନି ଚିତ୍ର

481

କନକ ବ୍ୟୁରୋ: ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସମସ୍ତେ ଜାଣିବାକୁ ଅପେକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ରେସରେ ସିଏଜି ଗିରିଶ ମୁର୍ମୁଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡାଙ୍କ ଭଳି ନାଁ ଚର୍ଚ୍ଚାରେ ରହିଛି । ତେବେ ସମସ୍ତେ କେନ୍ଦ୍ରୀୟ ନିଷ୍ପତିକୁ ଅପେକ୍ଷା କରି ରହିଛନ୍ତି । ଓଡିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଦିଲ୍ଲୀରେ ଘନ ଘନ ବୈଠକ ବସୁଥିବାର ଖବର ରହିଛି । ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ସେପଟେ ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମୈଦାନ ପ୍ରସ୍ତୁତ ହେଉଛି ।

ଓଡ଼ିଶାର ପରବର୍ତୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ପାଇଁ ପାଗଭିଢ଼ା ଆରମ୍ଭ ହୋଇ ସାରିଛି । ନିର୍ବାଚନ ଜିତିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିବା ତାରିଖ ଅନୁସାରେ ଭୁବନେଶ୍ୱରର ଜନତା ମଇଦାନ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ବିଜେପି ସଭାପତିଙ୍କ ସମେତ ଅନ୍ୟ ନେତା ।

ଶପଥ ଗ୍ରହଣ ଉତ୍ସବ ପାଇଁ ମଂଚ ବନ୍ଧା ଚାଲିଥିବାବେଳେ, କିଏ ହେବେ ମୁଖ୍ୟମନ୍ତ୍ରୀ ? ଏଯାଏ ସ୍ପଷ୍ଟ ହୋଇନି । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇନଥିବାବେଳେ, ଚର୍ଚ୍ଚାର ଶୀର୍ଷର ୫ ଜଣଙ୍କ ନାଁ ସବୁଠୁ ଆଗରେ ରହିଛି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, କଂଟାବାଞ୍ଜିରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଥିବା ବିଧାୟକ ଲକ୍ଷ୍ମଣ ବାଗଙ୍କ ନାଁ ସବୁଠୁ ଆଗରେ ଥିବା କୁହାଯାଉଛି । ସେହିପରି ସିଏଜି ଗିରିଶ ମୁର୍ମୁଙ୍କ ନାଁକୁ ନେଇ ବି ଚର୍ଚା ହେଉଛି । ତେବେ ସମସ୍ତେ କେନ୍ଦ୍ରୀୟ ନିଷ୍ପତିକୁ ଅପେକ୍ଷା କରି ରହିଛନ୍ତି । ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ଦିଲ୍ଲୀରୁ ନାଁ ଚୂଡାନ୍ତ ହେବା ପରେ ଏଠାରେ ବିଧାୟକ ଦଳ ବୈଠକ ବସି ତାଙ୍କୁ ନେତା ନିର୍ବାଚିତ କରାଯାଇପାରେ । ଆଉ ସଂସଦୀୟ ବୋର୍ଡର ବୈଠକରେ ଏନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

ଯେଉଁ ସମ୍ଭାବ୍ୟ ତାଲିକା ନେଇ ଚର୍ଚ୍ଚା ହେଉଛି ସେଥିରେ ପୂର୍ବତନ ସାଂସଦ ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୁଜାରୀ ଏବଂ ଯୁବ ନେତା ତଥା ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ନାଁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଛି ।