କିଏ ହେବ ବାଙ୍ଗାଲୋରର ନୂଆ ଅଧିନାୟକ? ୩ ନାଁକୁ ନେଇ ଚର୍ଚ୍ଚା, ଆପଣଙ୍କର ପସନ୍ଦ କିଏ?

191

କନକ ବ୍ୟୁରୋ : ମ୍ୟାଚ୍ ପୂର୍ବରୁ କୋହଲିଙ୍କ ବଡ ନିଷ୍ପତ୍ତି । ପ୍ରଥମେ ଟିମ୍ ଇଣ୍ଡିଆ ଆଉ ଏବେ ବାଙ୍ଗାଲୋରର ଟି-୨୦ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ କୋହଲି । ଚଳିତବର୍ଷ ଆଇପିଏଲ ଶେଷ ହେବା ପରେ ଅଧିନାୟକ ପଦ ଛାଡିବେ କୋହଲି । ଗୋଟିଏ ସପ୍ତାହ ମଧ୍ୟରେ କୋହଲିଙ୍କ ଲଗାତାର ଏଭଳି ଦୁଇଟି ନିଷ୍ପତ୍ତି କ୍ରିକେଟପ୍ରେମୀଙ୍କୁ ହତଚକିତ କରିଛି । କୋହଲି ଏଭଳି ଘୋଷଣା କରିବା ପରେ ଆଜି ୟୁଏଇରେ ପ୍ରଥମ ମ୍ୟାଚ୍ ଖେଳିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ କୋହଲିଙ୍କ ପରେ କିଏ ଧରିବ ବାଙ୍ଗାଲୋରର ମଙ୍ଗ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅଧିନାୟକ ଭାବେ ଆରସିବିରେ କୋହଲିଙ୍କର ଏହା ଶେଷ ସିଜିନ । ଦୀର୍ଘ ୭ ବର୍ଷ ହେବ ବାଙ୍ଗାଲୋରର ଅଧିନାୟକ ରହିଛନ୍ତି କୋହଲି । କିନ୍ତୁ ଏଯାଏଁ ଦଳକୁ ଥରୁଟିଲ ବି ଚାମ୍ପିୟନ କରିପାରିନାହାନ୍ତି କୋହଲି । ତେବେ ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ ୩ ଏମିତି ଖେଳାଳୀ ରହିଛନ୍ତି ଯାହାଙ୍କୁ ଅଧିନାୟକ କରିପାରେ ବାଙ୍ଗାଲୋର ।

ଏବି ଡିଭିଲିୟର୍ସ :
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିଭିଲିୟର୍ସ, ବିରାଟ କୋହଲିଙ୍କ ପରେ ବାଙ୍ଗାଲୋରର ନୂଆ ଅଧିନାୟକ ହୋଇପାରନ୍ତି । ଆସନ୍ତା ସିଜିନରୁ ଡିଭିଲିୟର୍ସଙ୍କୁ ଏହି ଦାୟିତ୍ୱ ଦେଇପାରେ ଦଳ । ଏବି ଡିଭିଲିୟର୍ସ ଏବେ ୩୭ ବର୍ଷରେ ପାଦ ଦେଇଛନ୍ତି ଏବଂ ବାଙ୍ଗାଲୋର ଟିମ୍ ସହ ମଧ୍ୟ ଦୀର୍ଘ ବର୍ଷ ହେବ ଯୋଡି ହୋଇ ରହିଛନ୍ତି । ବାଙ୍ଗାଲୋର ଟିମ୍ ପକ୍ଷରୁ ଡିଭିଲିୟର୍ସ ଭଲ ବ୍ୟାଟିଂ ମଧ୍ୟ କରିଛନ୍ତି । ଏହାସହ ୨୦୧୫ ବିଶ୍ୱକପରେ ଡିଭିଲିୟର୍ସଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ସେମିଫାଇନାଲ ମ୍ୟାଚ୍ ଖେଳିଥିଲା । ତେଣୁ ବିରାଟଙ୍କ ପରେ ଆରସିବି ଡିଭିଲିୟର୍ସଙ୍କୁ ବାଛିପାରେ ।

ଗ୍ଲେନ ମ୍ୟାକ୍ସୱେଲ :
ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଚଳିତ ଥର ଆରସିବି ଟିମରେ ସାମିଲ ହୋଇଛନ୍ତି । ଲମ୍ବା ବ୍ୟାଟିଂ ଲାଇନ ଅପ୍ ପାଇଁ ମ୍ୟାକ୍ସୱେଲଙ୍କୁ ଦଳରେ ସାମିଲ କରାଯାଇଛି । ଏହାପୂର୍ବରୁ ମ୍ୟାକ୍ସୱେଲ ପଞ୍ଜାବ ଟିମର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏହାଛଡା ବିଗ୍ ବାସ ଲିଗରେ ମଧ୍ୟ ମେଲବର୍ଣ୍ଣ ଷ୍ଟାର୍ସ ଟିମର ମଙ୍ଗ ସମ୍ଭାଳିଛନ୍ତି ମ୍ୟାକ୍ସୱେଲ । ତେଣୁ ଅଧିନାୟକ ଭାବେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ମଧ୍ୟ ରହିଛି । ଏହାବାଦ୍ ଆରସିବି ପକ୍ଷରୁ ମ୍ୟାକ୍ସୱେଲ ଚଳିତ ବର୍ଷ ଖେଳିବା ଆରମ୍ଭ କରିଥିଲେ ମଧ୍ୟ ଧୂଆଁଧାର ଫର୍ମରେ ରହିଛନ୍ତି । ଚଳିତ ସିଜିନରେ ଆରସିବି ପାଇଁ ୨୨୩ ରନ କରିଛନ୍ତି ମ୍ୟାକ୍ସୱେଲ ।

ଦେବଦତ୍ତ ପାଡିକଲ :
ଏହି ୨ ଜଣଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ମଧ୍ୟ ଆରସିବିର ଅଧିନାୟକ ହୋଇପାରନ୍ତି । ଜଣେ ଭାରତୀୟ ଭାବେ ପାଡିକଲଙ୍କୁ ଏହି ସୁଯୋଗ ମିଳିପାରେ । ଏହାଛଡା ଆରସିବି ପକ୍ଷରୁ ପାଡିକଲଙ୍କ ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଛି । ଅନେକ ମ୍ୟାଚରେ ଦଳ ପାଇଁ ସଙ୍କଟମୋଚକ ସାଜିଥିବା ପାଡିକଲଙ୍କୁ ବଡ ଦାୟିତ୍ୱ ଦେଇପାରେ ଆରସିବି ।