କନକ ବ୍ୟୁରୋ : ଆଇପିଏଲ ମହାନିଲାମୀରେ ଅନେକ ନୂଆ ଚେହେରାଙ୍କୁ ଏଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ଟିମରେ ସାମିଲ କରିଛି । ତେବେ ଏହି ମହାନିଲାମୀରେ ଆରସିବି ଏମିତି ୨ ଜଣ ଖେଳାଳୀଙ୍କୁ କିଣିଛି ଯାହାଙ୍କ ହାତରେ ଅଧିନାୟକ ଦାୟିତ୍ୱ ଦେଇପାରେ ଦଳ । କାରଣ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଦ ବିରାଟ କୋହଲି ଛାଡିଥିବା ବେଳେ ତାଙ୍କ ସ୍ଥାନରେ ଏହି ଦାୟିତ୍ୱ ଦଳ କାହାକୁ ଦେବ ତାହାକୁ ନେଇ ସସପେନ୍ସ ଲାଗି ରହିଛି । ପୂର୍ବରୁ ଏହି ରେସରେ କେବଳ ମ୍ୟାକ୍ସୱେଲ ରହିଥିବା ବେଳେ ମହାନିଲାମୀ ପରେ ଏହି ତାଲିକାରେ ଆଉ ଦୁଇ ନାଁ ଯୋଡି ହୋଇଛି ।

Advertisment

ମହାନିଲାମୀରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ଫାଫ୍ ଡୁ ପ୍ଲେସିସଙ୍କୁ ବାଙ୍ଗାଲୋର ୭ କୋଟି ଟଙ୍କାରେ କିଣି କିଛି ଏଭଳି ସଂକେତ ଦେଇଛି । ପୂର୍ବରୁ ଚେନ୍ନାଇ ସହ ଦୀର୍ଘ ଏକ ଦଶନ୍ଧି ଧରି ଖେଳି ଆସୁଥିଲେ ଡୁପ୍ଲେସିସ । ତେବେ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଓ ସବା କରିମଙ୍କ ଅନୁଯାୟୀ, ଅଧିନାୟକ ଭାବେ ଫାଫ୍ ଡୁ ପ୍ଲେସିସ ବାଙ୍ଗାଲୋରର ପ୍ରଥମ ପସନ୍ଦର ଖେଳାଳୀ ପାଲଟି ପାରନ୍ତି । କାରଣ ଅନ୍ୟ ଖେଳାଳୀଙ୍କ ଅପେକ୍ଷା ଫାଫ୍ ଡୁ ପ୍ଲେସିସଙ୍କୁ କିଣିବା ଉପରେ ଅଧିକ ଜୋର ଦେଇଥିଲା ବାଙ୍ଗାଲୋର । ଏହାଛଡା ଓପନର ସହ ଦକ୍ଷିଣ ଆଫ୍ରିକାର ଅଧିନାୟକ ଭାବେ ଡୁପ୍ଲେସିସ ଦମଦାର ପ୍ରଦର୍ଶନ ମଧ୍ୟ କରିଛନ୍ତି ।

ଡୁ ପ୍ଲେସିସଙ୍କ ପରେ ଦିନେଶ କାର୍ତ୍ତିକଙ୍କୁ ୫.୫୦ କୋଟି ଟଙ୍କାରେ କିଣିଛି ବାଙ୍ଗାଲୋର । ୱିକେଟକିପର ବ୍ୟାଟର ଭାବେ ଦିନେଶ କାର୍ତ୍ତିକଙ୍କୁ ବାଙ୍ଗାଲୋର କିଣିଥିବା କୁହାଯାଉଥିଲେ ମଧ୍ୟ ଅଧିନାୟକ ରେସରେ କାର୍ତ୍ତିକ ମଧ୍ୟ ଥିବା କୁହାଯାଉଛି । କାରଣ ପୂର୍ବରୁ କୋଲକାତା ନାଇଟ ରାଇର୍ଡସ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି କାର୍ତ୍ତିକ । ତେଣୁ ଅଧିନାୟକ ଭାବେ କାର୍ତ୍ତିକ ମଧ୍ୟ ଏକ ବିକଳ୍ପ ଭାବେ ଉଭା ହୋଇପାରନ୍ତି । ଏହାଛଡା ପୂର୍ବରୁ ମ୍ୟାକ୍ସୱେଲ ଟିମ୍ ସହ ରହିଛନ୍ତି । ମ୍ୟାକ୍ସୱେଲଙ୍କୁ ୧୧ କୋଟି ଟଙ୍କାରେ ରିଟେନ କରିଥିଲା ବାଙ୍ଗାଲୋର । ଆଉ ମ୍ୟାକ୍ସୱେଲ ମଧ୍ୟ ବିଗ୍ ବାସ ଲିଗରେ ଅଧିନାୟକ ରହି ସାରିଛନ୍ତି ।