କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, କଟକ ବିଜେପିରେ ଦ୍ୱନ୍ଦ୍ୱ ସେତିକି ବଢୁଛି । ଦଳରେ ଏକାଧିକ ଆଶାୟୀ ଥିବା ବେଳେ କଟକରୁ କାହାକୁ ସାଂସଦ ପ୍ରାର୍ଥୀ କରିବ ଦଳ, ତାକୁ ନେଇ ଚର୍ଚ୍ଚା ଚାଲିଛି । ଆଉ ଏତିକି ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ଯାହା ଏହି ଚର୍ଚ୍ଚାକୁ ବଳ ଯୋଗାଉଛି ।

Advertisment
  • ବିଜେପିର କଟକ ଦ୍ୱନ୍ଦ୍ୱ !
  • ଏକାଧିକ ଚେହେରା, ପ୍ରାର୍ଥୀ ହେବେ କିଏ ?

ଚର୍ଚ୍ଚାର ପ୍ରମୁଖ ଚେହେରା ଭିତରେ ଯୋଡ଼ି ହୋଇଯାଇଛି, କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଟକ ସାଂସଦଙ୍କ ସହ ହୋଇଥିବା ଏହି ଭେଟଘାଟ୍ । ଯଦିଓ ରାଜଭାଷା ନୀତି ସମ୍ପର୍କରେ ଭର୍ତ୍ତୃହରି, ଅମିତ ଶାହାଙ୍କୁ ଭେଟିଥିବା ସୂଚନା ରହିଛି, ତଥାପି ନିର୍ବାଚନୀ ମାହୋଲ ଜମି ଆସୁଥିବା ବେଳେ ଏହି ସାକ୍ଷାତକାରକୁ ନେଇ ଭିନ୍ନ କିଛି ଚର୍ଚ୍ଚା ହେଉଛି । ପ୍ରଜାତନ୍ତ୍ର କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅତିଥି ହେବା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପାଇକ ସ୍ମାରକୀସ୍ଥଳକୁ ଭର୍ତୃହରି ଯିବା ମଧ୍ୟ ଏଭଳି ଚର୍ଚ୍ଚା ସୃଷ୍ଟି କରିଥିଲା ।

ଅମିତ ଶାହାଙ୍କ ସହ ଭର୍ତ୍ତୃହରିଙ୍କ ଫଟୋ ଚିତ୍ର ଆସିବାର କିଛି ଦିନ ଆଗରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଚର୍ଚ୍ଚା ହେଉଥିଲା । କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ବୁଲି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଚିତ୍ର ସାମ୍ନାକୁ ଆସିବା ପରେ ତାଙ୍କୁ ବିଜେପି, କଟକ ଲୋକସଭା ଆସନ ପାଇଁ ଚେହେରା କରିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହା ଉପରେ ପ୍ରତିକ୍ରିୟା ମଧ୍ୟ ରଖିଥିଲେ ରେଳମନ୍ତ୍ରୀ ।

କେବଳ ସେତିକି ନୁହେଁ, ଯେତେବେଳେ ରୋଗୀ ସେବାରୁ ଜନତାଙ୍କ ସେବା ଲକ୍ଷ୍ୟ ନେଇ ବିଜେପିରେ ସାମିଲ ହୋଇଥିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କୁ ସିଧାସଳଖ ଉପ-ସଭାପତି ପଦ ଦେଇଥିଲା ଭାରତୀୟ ଜନତା ପାର୍ଟି । ହଠାତ୍ ପାର୍ଟିରେ ପାଦ ଦେଉ ଦେଉ ପଦୋନ୍ନତି ମିଳିବା ପରେ ଚର୍ଚ୍ଚା ହୋଇଥିଲା, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ କଟକ ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବିଜେପି । ବିଜେପି ଚେହେରାକୁ ନେଇ ଏହି ଚର୍ଚ୍ଚା ଭିତରେ କିନ୍ତୁ ୨୦୧୪ ତୁଳନାରେ ୨୦୧୯ରେ ବଢ଼ିଥିଲା ବିଜେପିର ଭୋଟ୍ । ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ୨୩ ପ୍ରତିଶତ ଅଧିକ ଭୋଟ୍ ପାଇଥଲେ । ସେପଟେ ୨୦୧୪ ତୁଳନାରେ ପ୍ରାୟ ୧୦ ପ୍ରତିଶତ କମ ଭୋଟ୍ ପାଇଥିଲେ ଭର୍ତୃହରି । ତେଣୁ କଟକ ଆସନରେ ଚେହେରା ବେଶ ଗୁରୁତ୍ୱ ରଖୁଛି ।

ରାଜନୈତିକ ଏହି ବୟାନବାଜି ଭିତରେ ଭର୍ତ୍ତୃହରିଙ୍କୁ ନେଇ ଆଉ ଏକ ଚର୍ଚ୍ଚା ହେଉଛି । କେନ୍ଦ୍ରର ମୋଦି ସରକାର, ଭର୍ତ୍ତୃହରି ମହତାବଙ୍କୁ ସାମ୍ବିଧାନିକ ପଦପଦବୀର ଅବସ୍ଥାପିତ କରିପାରନ୍ତି ।