କିଏ ହେବେ ବିଧାୟକ ଦଳ ନେତା? କଂଗ୍ରେସର ଆରମ୍ଭ କସରତ, ଦିଲ୍ଲୀ ଗଲେ କଂଗ୍ରେସ ନେତା

1,742

କନକ ବ୍ୟୁରୋ: କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା, ଏନେଇ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ଚଳିତ ନିର୍ବାଚନରେ ୧୪ଟି ଆସନ ହାତେଇଛି କଂଗ୍ରେସ । ଏଥିରେ ଅଧିକାଂଶ ବିଧାୟକ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କାହାକୁ ନେତା କଲେ, ଦଳ ବିଧାନସଭାରେ ନିଜର ସ୍ୱର ଉଠାଇପାରିବ, ସେ ନେଇ ଆଲୋଚନା କରିଛନ୍ତି ପ୍ରଭାରୀ ଅଜୟ କୁମାର ।

କଂଗ୍ରେସର ୯ରୁ ୯୦ ମିଶନ ସଫଳ ହୋଇନଥିଲେ ବି, ୨୦୧୯ ତୁଳନାରେ ଅଧିକ ବିଧାନସଭା ଆସନ ଜିତିବାରେ ସକ୍ଷମ ହୋଇଛି ଦଳ । କିନ୍ତୁ ଜିତିଥିବା ୧୪ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୩ଜଣଙ୍କୁ ଛାଡିଦେଲେ, ଅଧିକାଂଶ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ନବ ନିର୍ବାଚିତ ବିଧାୟକଙ୍କୁ ଡାକି ପ୍ରଭାରୀ ଭୁବନେଶ୍ୱରରେ ବୈଠକ କରି ବିଧାୟକ ଦଳ ନେତା କାହାକୁ କଲେ, ଦଳ ବିଧାନସଭାରେ ନିଜର ସ୍ୱର ଉଠାଇପାରିବ, ସେ ନେଇ ଆଲୋଚନା କରିଛନ୍ତି । ଅନ୍ୟପଟେ ଏଆଇସିସିରେ ଲବି କରିବା ପାଇଁ ତାରାଙ୍କ ସମେତ ଓଡିଶାର ଆଉ କିଛି ନେତା ଦିଲ୍ଲୀ ଯାଇଛନ୍ତି । ସୂଚନା ଅନୁସାରେ କିଛି ନେତା ତାରାଙ୍କୁ ବିଧାୟକ ଦଳ ନେତା ହିସାବରେ ଚାହୁଁଥିବାବେଳେ, ଆଉ କିଛି ଚାହୁଁନାହାନ୍ତି ।

ଆସନ୍ତାକାଲି ଦିଲ୍ଲୀରେ ଏଆଇସିସିର ସିଡବ୍ଲ୍ୟୁସିସି ବୈଠକ ବସୁଛି । ଏହି ବୈଠକରେ ପ୍ରଭାରୀ ଓ ପିସିସି ସଭାପତି ଯୋଗ ଦେବେ । ଏହି ବୈଠକରେ ଓଡିଶାରେ କଂଗ୍ରେସର ପରାଜୟକୁ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା ହେବ । ଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱରରେ ଓଡିଶା କଂଗ୍ରେସର ଉଭୟ ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସହ ବୈଠକ କରିବେ ପ୍ରଭାରୀ । ସେହି ବୈଠକରେ ୨୦ ହଜାରରୁ କମ୍ ଭୋଟରେ ହାରିଥିବା ନେତାଙ୍କୁ ୨୦୨୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ସଂଗଠନ ଦାୟିତ୍ୱ ଦିଆଯିବ । ଦଳ କେଉଁ ଆସନରେ, କଣ ପାଇଁ ହାରିଲା, ରିପୋର୍ଟ ପ୍ରସ୍ତୁତ କରି ଦିଲ୍ଲୀ ପଠାଇବେ । ଏଥିସହ ଓଡିଶା କଂଗ୍ରେସକୁ ମଜବୁତ କରିବା ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ପ୍ରଭାରୀ ଅଜୟ କୁମାର ।

୨୦୧୯ ତୁଳନାରେ କଂଗ୍ରେସ ରାଜ୍ୟରେ ଭଲ ପ୍ରଦର୍ଶନ କରିଥିଲେ ବି ଦଳୀୟ କନ୍ଦଳ, ଦଳୀୟ ନେତୃତ୍ୱ, ନେଇଥିବା କିଛି ନିଷ୍ପତିକୁ ନେଇ, ଉଠିଥିବା ବିବାଦକୁ ସମାଧାନ କରିବାରେ ଅସଫଳ ଥିଲେ ପିସିସି ସଭାପତି । ତେଣୁ ଆଗକୁ ଏଆଇସିସି ଓଡିଶାରେ କଂଗ୍ରେସର ନେତୃତ୍ୱ ପରିର୍ବତନ କରୁଛି ନା ଶରତଙ୍କ ଉପରେ ଭରଷା କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।