କାହାକୁ ମିଳିବ ପ୍ରମୋଶନ ? ବିଧାୟକ କହିଲେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଚାବିକାଠି, ପ୍ରମୋଶନ ନେଇ ମୁହଁ ଖୋଲୁନାହାନ୍ତି ପଲିଟିସିଆନ?

384

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଜାଣିଛନ୍ତି । ଆମେ କିଛି ଜାଣିନୁ । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ଓ ଯେଉଁ ଦାୟିତ୍ୱ ଦେବେ ତାହା ସୂଚାରୁ ରୂପେ ତୁଲାଇବୁ । ବିଜେଡିର ନବନିର୍ବାଚିତ ବିଧାୟକଙ୍କ ମୁହଁରୁ ଏବେ ଏଭଳି କିଛି କଥା ଶୁଣିବାକୁ ମିଳୁଛି । ୧୧୨ ଆସନ ସହ ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେଡି ସରକାର ଗଢିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଧାୟକଙ୍କୁ ମନ୍ତ୍ରୀ ଭାବେ ପ୍ରମୋଶନ ମିଳିବ ତାହାକୁ ନେଇ ବଡ ଉତ୍କଣ୍ଠା ଦେଖିବାକୁ ମିଳିଛି । ଚଳିତଥର ଅନେକ ପୁରୁଖା ତଥା ହେଭିୱେଟ ନେତା ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ମନ୍ତ୍ରୀପଦକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି, ମନ୍ତ୍ରୀପଦକୁ ଚର୍ଚ୍ଚା ବଢୁଛି । ବିଧାୟକ ନିର୍ବାଚିତ ହେବା ପରେ ଏବେ ମନ୍ତ୍ରୀ ପଦ ପାଇଁ ଆରମ୍ଭ ହେଲାଣି ଲବି । ମନ୍ତ୍ରୀ ପଦ ରେସରେ ଅନେକ ନେତାଙ୍କ ନାଁ ସାମ୍ନାକୁ ଆସୁଛି । ଯେଉଁଥିରେ କିଛି ଫାଷ୍ଟ ଟାଇମ ବିଧାୟକ ଥିବା ବେଳେ ଅନେକ ପୁରୁଖାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏଭଳି ଚର୍ଚ୍ଚାକୁ ନେଇ ମୁହଁ ଖୋଲିବାକୁ ନାରାଜ ବିଜେଡି ବିଧାୟକ । ମନ ଭିତରେ ମନ୍ତ୍ରୀ ହେବା ନେଇ ଆଶା ରହିଛି କିନ୍ତୁ ମିଡିଆ ସାମ୍ନାରେ ମୁହଁ ଖୋଲିବା ପାଇଁ କୁନ୍ଥୁ କୁନ୍ଥୁ ହେଉଛନ୍ତି ଚର୍ଚ୍ଚାରେ ରହିଥିବା ବିଧାୟକ ।

ଆଜି ନବ ନିର୍ବାଚିତ ବିଧାୟକଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସରେ ଭିଡ ଜମାଇଥିଲେ ବିଜେଡି ବିଧାୟକ ମାନେ । ଯେଉଁମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମଲ, ପ୍ରତାପ ଦେବ, ସମ୍ବିତ ରାଉତରାୟ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପ୍ରମିଳା ମଲ୍ଲିକ, ଭୂପିନ୍ଦର ସିଂହଙ୍କ ଭଳି ଜଣାଶୁଣା ଚେହେରା ରହିଥିଲେ । କିନ୍ତୁ ନବୀନଙ୍କୁ ଭେଟିବା ପରେ ମନ୍ତ୍ରୀପଦକୁ ନେଇ ହେଉଥିବା ଚର୍ଚ୍ଚାରୁ ନିଜକୁ ଦୂରେଇ ରଖିଥିଲେ ଏହି ବିଧାୟକ । ମନ୍ତ୍ରୀ ପଦ ପାଇଁ ମନ ଭିତରେ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ସୁପ୍ରିମୋଙ୍କ ନିଷ୍ପତି ଶେଷ ନିଷ୍ପତି ବୋଲି ମିଡିଆ ସାମ୍ନାରେ କହିଥିଲେ । ମନ୍ତ୍ରୀପଦ ରେସରୁ ଦୂରରେ ରହିଥିବା ଦର୍ଶାଇବା ସହ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିବାରୁ ଏହା ତାଙ୍କ ପାଇଁ ସବୁଠୁ ବଡ କଥା ବୋଲି କହିଥିଲେ ବିଜେଡି ବିଧାୟକ ।

ଏସବୁ ଭିତରେ ନବୀନ କେଉଁ ବିଧାୟକଙ୍କୁ ମନ୍ତ୍ରୀପଦକୁ ପ୍ରମୋଶନ ଦେଇ ପଞ୍ଚମ ପାଳି ଆରମ୍ଭ କରିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । କାରଣ ଚଳିତ ଥର ଅନେକ ନୂଆ ଚେହେରା ବିଧାନସଭାକୁ ଏଣ୍ଟ୍ରି ମାରିଥିବା କିଛି ହେଭିୱେଟଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ତେଣୁ ନବୀନ କାହା ଉପରେ ଭରସା କରୁଛନ୍ତି ତାହା ଆସନ୍ତା ୨୯ ତାରିଖରେ ସ୍ପଷ୍ଟ ହେବ ।