ମନ୍ତ୍ରୀ ହେବେ ବିଧାୟକ, ଆସୁଛି ଫୋନ୍ କଲ । ଜାଣନ୍ତୁ ଏଯାଏଁ କାହାକୁ ଆସିଲାଣି ଫୋନ୍ କଲ?

1,633

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଜନତା ମୈଦାନରେ ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ମନ୍ତ୍ରୀ ମଧ୍ୟ ଆଜି ଶପଥଗ୍ରହଣ କରିବେ । ଏନେଇ ବିଜେପି ବିଧାୟକଙ୍କୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି ।

ଦଳର ବରିଷ୍ଠ ନେତା ମୁକେଶ ମହାଲିଙ୍ଗଙ୍କୁ ମନ୍ତ୍ରୀ ଭାବେ ଶପଥ ନେବାକୁ ଫୋନକଲ ଆସିଥିବା ସୂଚନା ମିଳିଛି । ଲୋଇସିଂହାରୁ ବିଧାୟକ ଥିବା ମୁକେଶଙ୍କୁ ମୋହନଙ୍କ ମନ୍ତ୍ରୀମଣ୍ଡଳରେ ମିଳିବ ସ୍ଥାନ । ସେହିଭଳି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବାକୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି । ବିଜେପିର ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ହେଉଛନ୍ତି ସୁରଜ ସୂର୍ଯ୍ୟବଂଶୀ । ବାପାଙ୍କ ଦେହାନ୍ତ ପରେ ଉପ-ନିର୍ବାଚନରେ ବିଜୟୀ ହୋଇଥିବା ସୁରଜ ସୂର୍ଯ୍ୟବଂଶୀ ଚଳିତ ୨୦୨୪ ନିର୍ବାଚନରେ ମଧ୍ୟ ବିଜୟୀ ହୋଇଛନ୍ତି ।

ସେହିଭଳି ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ ଆସିଛି । ପୃଥ୍ୱୀରାଜ ହେଉଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ । ଦୀର୍ଘଦିନ ଧରି ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଛନ୍ତି ପୃଥ୍ୱୀରାଜ । ଗୋପାଳପୁର ବିଧାୟକ ବିଭୁତି ଭୂଷଣ ଜେନା, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ପାରାଦ୍ୱୀପ ବିଧାୟକ ସମ୍ପଦ ସ୍ୱାଇଁ, ମୋରଡା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, କୁଚିଣ୍ଡା ବିଧାୟକ ରବି ନାଏକ,  ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି ।