୧୯ ଯୁଦ୍ଧର ଅଗ୍ନିପରୀକ୍ଷା ! ମେଣ୍ଟ ସରକାରର ମଙ୍ଗ ଧରି କିଏ ହେବ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ କ’ଣ କହୁଛି ସମୀକରଣ ।

548

କନକ ବ୍ୟୁରୋ : ୧୯ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ମତଦାନ ହେବାକୁ ଥିବା ବେଳେ ସମଗରମ ରହିଛି ଜାତୀୟ ରାଜନୀତି । ବିଶେଷ କରି କିଏ ହେବେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ, ତା’ ଉପରେ ରହିଛି ସମସ୍ତଙ୍କ ନଜର । ନିକଟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ନିଜ ବୟାନରେ କହିଥିଲେ ଯେ, ଯଦି ତାଙ୍କ ପାର୍ଟିକୁ ପ୍ରଧାନମନ୍ତ୍ରୀ ନମିଳେ, ତେବେ ତାଙ୍କର କୌଣସି ଆପତ୍ତି ନାହିଁ । ଆଉ ଏପରି ହେଲେ, ପୁଣି ଥରେ ଅଣ-ବିଜେପି ଦଳଗୁଡିକ ସହ ହାତ ମିଶାଇବାରେ କଂଗ୍ରେସକୁ କୌଣସି ଅସୁବିଧା ହେବ ନାହିଁ ।

କୁହାଯାଉଛି, ବିଜେପିର ଶକ୍ତି ହିଁ, ସେମାନଙ୍କ ଦୁର୍ବଳତା ଅଟେ । କାହିଁକି ନା ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ଜନତା ପାର୍ଟି କାହା ସହ ମେଣ୍ଟ କରିନପାରେ । କେବଳ ଏତିକି ନୁହେଁ, ବଡ ମନ୍ତ୍ରାଳୟ ଯେପରିକି ଗୃହ ବିଭାଗ, ପ୍ରତିରକ୍ଷା ବିଭାଗ ଏବଂ ରେଲୱେ ଭଳି ବିଭାଗ ବିଜେପି ଠାରୁ ଅକ୍ତିଆର କରିବା କୌଣସି ଆଞ୍ଚଳିକ ଦଳଗୁଡିକ ପାଇଁ ହୁଏତ ସହଜ ହେବନି ।

ରାଜନୀତିର ଏହି ରୋଚକ ଆଲୋଚନା ଭିତରେ ଆଉ ଏକ ବଡ କଥା ସାମ୍ନାକୁ ଆସେ । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଥରେ ହେଲେ ମଧ୍ୟ ରାହୁଲ ଗାନ୍ଧିଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ କହିନାହିଁ । କେବଳ ଏତିକି ନୁହେଁ, ରାହୁଲ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ କେବେ ନିଜକୁ ପ୍ରୋଜେକ୍ଟ କରିନାହାନ୍ତି । ତେବେ ତାମିଲନାଡୁରେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ୍ ଗୋଟିଏ ଥର ରାହୁଲଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରୋଜେକ୍ଟ କରିଥିଲେ । ତେବେ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି ଆସନ୍ତା ୨୩ ତାରିଖରେ ।

ମେ’ ୨୩ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ତିନି ପ୍ରକାର ସମୀକରଣ ହୋଇପାରେ ।

୧. ମୋଦିଙ୍କ ନେତୃତ୍ୱରେ ଏନଡିଏକୁ ପୂର୍ଣ୍ଣ ବହୁମତ ।

୨. ମୋଦିଙ୍କ ନେତୃତ୍ୱରେ ଏନଡିଏ ୨୭୨ର ମ୍ୟାଜିକ୍ ନମ୍ବର ଛୁଇଁନପାରେ, କିନ୍ତୁ ୨୩୦ରୁ ଅଧିକ ସିଟ୍ ଅକ୍ତିଆର କରିପାରେ । ଆଉ ଏପରି ସ୍ଥିତି ହେଲେ, ୱାଇଆରଏସ, କଂଗ୍ରେସ, ଟିଆରଏସ୍, ବିଜେଡି ଭଳି ଆଞ୍ଚଳିକ ଦଳ ଗୁଡିକର ସମର୍ଥନରେ ନୂଆ ଚିତ୍ର ଦେଖିବାକୁ ମିଳିପାରେ ।

୩. ଆଉ ତୃତୀୟ ସମୀକରଣ ଏପରି ହୋଇପାରେ, ଅଣ-ବିଜେପି ଦଳ ଗୁଡିକୁ ୩୦୦ ରୁ ଅଧିକ ସିଟ୍ ମିଳିପାରେ ।