କିଏ ହେବ ବିରୋଧୀ ଦଳ ନେତା? ନବୀନଙ୍କ ଭୂମିକା ଉପରେ ନଜର

2,160

କନକ ବ୍ୟୁରୋ: ନବୀନ ହେବେ କି ବିରୋଧୀ ଦଳ ନେତା । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ନିଭାଇପାରନ୍ତି ଛାୟା ମୁଖ୍ୟମନ୍ତ୍ରୀ ଭୂମିକା । ତେବେ ନିଜେ ନବୀନ ପଟ୍ଟନାୟକ ବିରୋଧୀ ଦଳର ଭୂମିକା ନିିଭାଇବେ ନା ଆଉ କାହାକୁ ଏହି ଆସନରେ ବସାଇବେ ତାକୁ ନେଇ ଚର୍ଚ୍ଚା ବଢିଛି । ଅନ୍ୟପଟେ ଦୀର୍ଘ ବର୍ଷ ପରେ ଓଡିଶାକୁ ମଜବୁତ ବିରୋଧୀ ଦଳ ମିଳିଛି । ବିଜେପିର ୭୮ ବିଧାୟକଙ୍କୁ ଘେରିବେ ବିଜେଡି ଓ କଂଗ୍ରେସର ମୋଟ୍ ୬୫ ଜଣ ବିଧାୟକ ।

୨୭ ବର୍ଷର ବିଜେଡି ଏବଂ ୨୪ ବର୍ଷର ସରକାର । କ୍ଷମତା ହାତରୁ ଚାଲିଯିବା ପରେ ବିଜେଡି ସୁ୍ପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭାରେ କେଉଁ ଭୂମିକାରେ ନଜରରେ ଆସିବେ, ତାକୁ ନେଇ ଚର୍ଚ୍ଚା ବଢିଛି । ବିରୋଧୀ ଦଳର ନେତା ହେବେ କି ନବୀନ ? ବିଜେଡି ବିଧାୟକ ଦଳର ନେତା ହେବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ? ତାହା ହେଉଛି ବର୍ତମାନ ସମୟର ବଡ ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଶେଷ କରି କରୋନା ପରେ ବିଧାନସଭାକୁ ବିଶେଷ ଆସୁନଥିଲେ ନବୀନ । ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠାକୁ ମଧ୍ୟ ଆସୁନଥିବା ବିରୋଧୀ ଖୋଲା ଖୋଲି ଅଭିଯୋଗ କରୁଥିଲେ । ଏଭିଳି ସ୍ଥିତିରେ ବିିରୋଧୀ ଦଳ ନେତା ତଥା ଛାୟା ମୁଖ୍ୟମନ୍ତ୍ରୀ ଭଳି ଗୁରୁ ଦାୟିତ୍ୱ ସମ୍ଭାଳିବା ପାଇଁ ନବୀନ କେତେ ଆଗଭର ହେବେ ତାକୁ ନେଇ ଭିନ୍ନ ଚର୍ଚ୍ଚା ହେବା ସ୍ୱାଭାବିକ । କାରଣ ଶାସନ ଚଳାଇବା ଯେତେ ବଡ଼ ଦାୟିତ୍ୱ, ବିରୋଧୀ ଦଳ ହିସାବରେ ଶାସନର ତଦାରଖ କରିବା ତାହାଠୁଁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଯଦି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନହୁଅନ୍ତି ତାହା ହେଲେ ଶାସକ ଦଳକୁ ବିଧାନସଭାରେ ଘେରିବ କିଏ ? ଅନୁଭବ ଓ ଅଭିଜ୍ଞତା ଦେଖିବାକୁ ଗଲେ ଆଠ ଆଠ ଥର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ନା ବିରୋଧୀ ଦଳ ନେତା ପଦ ପାଇଁ ସବୁଠୁଁ ଅଧିକ ଚର୍ଚ୍ଚା ହେଉଛି । ତେବେ ବିଧାୟକ ଦଳ କାହାକୁ ନେତା ବାଛିବ ଏବଂ ଦଳୀୟ ସୁପ୍ରିମୋଙ୍କ ଅନୁମତି କାହା ସପକ୍ଷରେ ରହିବ ତାହା ଗୁରୁତ୍ୱପୂର୍ଣ୍ଣ । ବଡ କଥା ହେଉଛି ପ୍ରାୟ ତିନି ଦଶନ୍ଧି ପରେ ୨୦୨୪ରେ ଓଡ଼ିଶାକୁ ଗୋଟିଏ ମଜଭୁତ ବିରୋଧୀ ମିଳିଛି । ବିଜେଡି ପାଖରେ ୫୧ ସଦସ୍ୟ, କଂଗ୍ରେସ ପାଖରେ ୧୪ ସଦସ୍ୟ ଅର୍ଥାତ ଟ୍ରେଜେରି ବେଂଚରେ ୬୫ ଜଣ ବିଧାୟକ ଗୋଟିଏ ସ୍ୱରରେ ସରକାରଙ୍କୁ ଘେରିବାର ସାମର୍ଥ୍ୟ ରଖନ୍ତି । ତେଣୁ ବହୁମତ ସହ ସରକାର ଗଢିିଲେ ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବା ବିଜେପି ପକ୍ଷରେ ଏତେଟା ସହଜ ହେବନି ।

ଶାସକ ଦଳରୁ ସିଧା ବିରୋଧୀ ଦଳକୁ ଆସିଛି ବିଜେଡି । ଓଡିଶାର ସ୍ୱାର୍ଥ ପାଇଁ ଗଠନ ହୋଇଥିବା ଆଂଚଳିକ ଦଳ ଆଗକୁ କେମିତି ବଢିବ? ଏବଂ ପରବର୍ତୀ ସମୟରେ କିଏ ନେତୃତ୍ୱ ନେବେ ? ତାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ୍ ।