କନକ ବ୍ୟୁରୋ : କେନ୍ଦୁଝରରେ କାହାର ହେବ ବାଜିମାତ୍ ? ପତିଆରାର ଲଢେଇରେ ଦମ୍ ଦେଖାଇବାକୁ ସଜବାଜ ହେଲେଣି ନେତା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଆଉ ନିର୍ବାଚନ ପୂର୍ବରୁ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ସରଗରମ ହୋଇଛି ରାଜନୀତି । ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଅପେକ୍ଷା ଶାସକ ବିଜେଡିର ସ୍ଥିତି ଭଲ ଥିଲେ ମଧ୍ୟ ଏଥର ଲଢେଇରେ କେନ୍ଦୁଝର ବିଜେଡି ପାଇଁ ସନା ସାଜିପାରନ୍ତି ସାହାରା ।

Advertisment

ସନାତନ ମହାକୁଡ । ଚମ୍ପୁଆର ପୂର୍ବତନ ବିଧାୟକ । ୨୦୧୭ ମସିହାରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲ୍ଲାର ୧୩ଟି ପଞ୍ଚାୟତ ସମିତି ମଧ୍ୟରୁ ୫ଟିରେ ସନାତନ ମହାକୁଡଙ୍କ ସମର୍ଥିତ ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିଲେ । ୭ଟି ପଞ୍ଚାୟତ ସମିତିରେ ବିଜେଡି ଏବଂ ଗୋଟିଏ ପଞ୍ଚାୟତ ସମିତିରେ ବିଜେପି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ପଦ ହାତେଇବାରେ ସମର୍ଥ ହୋଇଥିଲେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସନାତନ ମହାକୁଡଙ୍କ ସମର୍ଥିତ ପ୍ରାର୍ଥୀମାନେ ସିଧାସଳଖ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସହ ଲଢେଇ କରି ବିଜୟୀ ହୋଇଥିଲେ ।

ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ସନାତନଙ୍କ ଉପରେ ନିର୍ଭର କରିବ ବୋଲି ଅନୁମାନ କରାଯାଉଛି । ଯଦିଓ ଚମ୍ପୁଆରେ ସନାତନଙ୍କ ବଦଳରେ ମୀନାକ୍ଷୀ ମହନ୍ତ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି, କିନ୍ତୁ ତାଙ୍କ ଅପେକ୍ଷା ସନାଙ୍କ ସାଂଗଠନିକ ଦକ୍ଷତା ଉପରେ ଅଧିକ ନିର୍ଭର କରିବ ବିଜେଡି । ସନାତନ ମହାକୁଡ ବିଧିବଦ୍ଧ ଭାବେ ବିଜେଡିରେ ମିଶି ନଥିଲେ ମଧ୍ୟ, ଗତ ବିଧାନସଭା ନିର୍ବାଚନ ପରଠାରୁ ସନାଙ୍କ ସଂଗଠନ ବିଜେଡି ପାଇଁ କାମ କରୁଛି । ତେଣୁ ସନାତନ ମହାକୁଡଙ୍କ ପରାମର୍ଶରେ ହୁଏତ ପ୍ରାର୍ଥୀ ଚୟନ କରିପାରେ ବିଜେଡି ।

ସେପଟେ ବିଜେପି ଏବଂ କଂଗ୍ରେସ ମଧ୍ୟ ପ୍ରସ୍ତୁତ କରୁଛନ୍ତି ରଣନୀତି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବାରୁ ଏଠାରେ ବିଜୟ ବାନା ଉଡ଼ାଇବା ଶାସକ ଦଳ ପାଇଁ ସମ୍ମାନର ପ୍ରଶ୍ନ ସାଜିଛି । ସେହିପରି ବିରୋଧୀଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ମାଝି ଏବଂ ପୂର୍ବତନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମୂରଲୀ ଶର୍ମାଙ୍କ ନେତୃତ୍ୱରେ ଶକ୍ତି ଦେଖାଇବାକୁ ବିଜେପି କରୁଛି ମାଷ୍ଟରପ୍ଲାନ । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଭଳି ଦୁଇ ଟାଣୁଆ ନେତା ଥିଲେ ମଧ୍ୟ ଲଢେଇରେ କେଉଁଠି ନା କେଉଁଠି କଂଗ୍ରେସ ପଛରେ ଥିବା ଭଳି ମନେହେଉଛି ।

କେନ୍ଦୁଝର ଜିଲ୍ଲାରେ ମୋଟ୍ ୩୭ଟି ଜିଲ୍ଲା ପରିଷଦ ଜୋନ୍ ଅଛି । ୨୦୧୨ରେ ବିଜେଡି ୩୩ଟି ଆସନରେ ବାଜିମାତ କରିଥିବା ବେଳେ କଂଗ୍ରେସ ଖାତାକୁ ଯାଇଥିଲା ୩ଟି ଆସନ । ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଅକ୍ତିଆର କରିଥିଲେ । ଆଉ ବିଜେଡି ହାତରେ ରହିଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ । ସେହିପରି ୨୦୧୭ରେ ବିଜେଡି ୨୫ଟି ଆସନ ହାତେଇ ଥିବା ବେଳେ, ବିଜେପି ୬ଟି ଏବଂ ସନାତନ ମହାକୁଡଙ୍କ ସମର୍ଥିତ ପ୍ରାର୍ଥୀ ୬ଟି ସିଟରେ ବିଜୟୀ ହୋଇଥିଲେ । ଏବଂ ପୁଣି ଥରେ ବିଜେଡି ହାତରେ ରହିଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ।

କେନ୍ଦୁଝରରେ ୧୩ଟି ବ୍ଲକ ମଧ୍ୟରୁ ଆନନ୍ଦପୁର ବ୍ଲକରେ ୩ଟି ଜୋନ ରହିଥିବାବେଳେ ଏହି ୩ଟି ଯାକ ଜୋନରେ ବିଜେଡିର ସ୍ଥିତି ଭଲ ରହିଛି । କିନ୍ତୁ କେନ୍ଦୁଝର ସଦର ବ୍ଲକର ୩ଟି ଜୋନରେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ଆଉ ଏଠାରେ ବିଜେଡିର ବିଜୟ ପାଇଁ ସନା ସାଜିପାରନ୍ତି ସାହାରା । ସେହିପରି ପାଟଣା, ସାହାରପଡା, ଘଟଗାଁ, ବାଂଶପାଳ, ହାଟଡିହି, ହରିଚନ୍ଦନପୁରରେ ମଧ୍ୟ ବିଜେଡିର ସ୍ଥିତି ଭଲ ଥିବା ଭଳି ମନେହେଉଛି । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ କେଉଁ ଦଳ ଦମ୍ ଦେଖାଉଛି, ଏବେ ତାକୁ ହିଁ ଅପେକ୍ଷା ।