କନକ ବ୍ୟୁରୋ : ଦିନ ଯେତିକି ପାଖେଇ ଆସୁଛି ସେତିକି ବଢୁଛି ଚର୍ଚ୍ଚା । କାରଣ ଖୁବ ଶିଘ୍ର କଂଗ୍ରେସକୁ ମିଳିବ ନୂଆ ସଭାପତି । ଦୀର୍ଘଦିନ ହେବ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ କାହାକୁ ଗୁରୁ ଦାୟିତ୍ୱ ଦିଆଯିବ ଏହାକୁ ନେଇ ଦଳ କରୁଛି ମାନସମନ୍ଥନ । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରେ କଂଗ୍ରେସର ମଙ୍ଗ କିଏ ଧରିବ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଅକ୍ଟୋବର ୧୭ରେ ହେବ ଦଳର ସଭାପତି ପାଇଁ ନିର୍ବାଚନ ଗୋଟେ ପଟେ ସଭାପତି ପାଇଁ ବାରମ୍ବାର ମନା କରି ଆସୁଛନ୍ତି ସାଂସଦ ରାହୁଲ ଗାନ୍ଧୀ । ଅନ୍ୟପଟେ ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ତାମିଲନାଡୁ,ମହାରାଷ୍ଟ୍ର, ବିହାର, ଛତିଶଗଡ,ରାଜସ୍ଥାନ,ଗୁଜରାଟ. ଝାଡଖଣ୍ଡର ପ୍ରଦେଶ କଂଗ୍ରେସ ରାହୁଲଙ୍କ ନାଁରେ ମୋହର ମାରିସାରିଛନ୍ତି ।

Advertisment

ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ସଭାପତି କରିବା ପାଇଁ ମଧ୍ୟ ଚାଲିଛି ଜୋରଦାର ଲବି । ଜି-୨୩ ଗୋଷ୍ଟୀର ନେତା ଶଶି ଥରୁରୁଙ୍କ ନାଁ ସବୁଠୁ ଆଗରେ ରହିଛି । ଏହା ପରେ ଶୁଣାଯାଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ । ଦଳର ଦୁଇ ବରିଷ୍ଠ ନେତା ଶଶି ଥରୁରୁ ଓ ଅଶୋକ ଗେହଲଟ ସଭାପତି ରେସରେ ସବୁଠୁ ଆଗରେ ରହିଛନ୍ତି ।

ସେପ୍ଟେମ୍ବର ୨୫ରେ ଗେହଲଟ ଦିଲ୍ଲୀ ଯିବେ ଓ ନିର୍ବାଚନ ପାଇଁ ନାମ।।ଙ୍କନ ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଦେଶରୁ ଫେରିବା ପରେ ଶଶି ଥରୁରୂଙ୍କୁ ଭେଟିସାରିଛନ୍ତି ସୋନିଆ ଗାନ୍ଧୀ । ତେଣୁ ଶଶି ଓ ଗେହଲଟଙ୍କ ମଧ୍ୟରେ ସଭାପତି ନିର୍ବାଚନ ହେବ ବୋଲି ଏବେଠୁ ଆରମ୍ଭ ହୋଇଛି ଚର୍ଚ୍ଚା ।

ସେପ୍ଟେମ୍ବର ୨୪ରେ ହେବ ନାମାଙ୍କନ ପ୍ରକିୟା ଓ ଅକ୍ଟୋବର ୧୭ରେ ହେବ ସଭାପତି ପାଇଁ ନିର୍ବାଚନ । ୨୦୧୯ ସଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ରାହୁଲ ସଭାପତି ପଦ ଛାଡିଦେଇଥିଲେ । ତାଙ୍କୁ ଦଳୀୟ ନେତାମାନେ ପୂର୍ବରୁ ପୁଣି ସଭାପତି ହେବାକୁ ବୁଝାଇଥିଲେ ବି ସେ କାହା କଥା ଶୁଣିନଥିଲେ । ଏହା ପରେ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦଳକୁ ସମ୍ଭାଳି ଆସୁଛନ୍ତି ସୋନିଆ ଗାନ୍ଧୀ