କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି । ଆଉ ଜୁଲାଇ ତୃତୀୟ ସପ୍ତାହରେ ବିଧାନସଭାରେ ଆସିପାରେ ପୂର୍ଣ୍ଣାଙ୍ଗ ବଜେଟ । ତେବେ ବିଧାନସଭା ଅଧିବେଶନ ଆରମ୍ଭରୁ କିଏ ହେବେ ଉପବାଚସ୍ପତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଧାନସଭା ଆରମ୍ଭରୁ ହିଁ ଗୃହରେ ଉପବାଚସ୍ପତିଙ୍କ ନାଁ ଘୋଷଣା ହେବ। କିନ୍ତୁ ତା ପୂର୍ବରୁ କିଛି ନାଁ ନେଇ ଆଲୋଚନା ଆରମ୍ଭ ହୋଇଛି ।
୨-୨ ଥର ବଡସାହିରୁ ବିଧାୟକ ହୋଇ ବିଧାନସଭା ଆସିଥିବା ସନାତନ ବିଜୁଳିଙ୍କ ନାଁ ଆଗରେ ରହିଛି । ବିଜେପି ବିରୋଧୀ ଦଳରେ ଥିବାବେଳେ ସନାତନ ବିଜୁଳି ନିଜ ଭାଷଣରେ ତତକାଳୀନ ବିଜେଡି ସରକାରକୁ ଅଡୁଆରେ ପକାଉଥିଲେ । ତେଣୁ ସନାତନଙ୍କ ଭଳି ଅଭିଜ୍ଞ ଓ ଭଲ ବକ୍ତାଙ୍କୁ ଉପ-ବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ବରିଷ୍ଠତା ଦୃଷ୍ଟିରୁ ୪-୪ଥରର ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନାଁ ବି ରହିଛି । କଂଗ୍ରେସରୁ ୩ଥର ଓ ଚଳିତ ଥର ସେ ବିଜେପିରୁ ବିଧାୟକ ହୋଇଛନ୍ତି ।
ସରକାରୀ ଦଳ ମୁଖ ସଚେତକଙ୍କ ନାଁକୁ ନେଇ ମଧ ଆଲୋଚନା ଜୋରଦାର ହେଉଛି । ଯେଉଁ ବିଧାୟକ ସରକାର ଓ ବିରୋଧୀଙ୍କ ଭିତରେ ସମନ୍ୱୟ ରଖିପାରୁଥିବ, ସେହିଭଳି ଚେହେରା ଖୋଜୁଛି ବିଜେପି । ଆଉ ଚର୍ଚ୍ଚାରେ ଅଛନ୍ତି କୋରେଇର ୨-୨ଥରର ବିଧାୟକ ଆକାଶଦାସ ନାୟକ । ଯାଜପୁର ଜିଲ୍ଲା ମନ୍ତ୍ରୀଶୂନ୍ୟ ଥିବାରୁ ଜିଲ୍ଲାର ଜଣକୁ ଦାୟିତ୍ୱ ଦେଇପାରେ ବିଜେପି । ତେଣୁ ଆକାଶଙ୍କୁ ନେଇ ଦଳରେ ବିଚାରବିମର୍ଷ କରିପାରେ ।
ସେହିଭଳି ବରିଷ୍ଠଙ୍କ ଭିତରେ ଅଛନ୍ତି ଭାସ୍କର ମଢେଇ । ସେ ଉଦଳାରୁ ୪-୪ ଥର ବିଧାୟକ ଅଛନ୍ତି । ସେହିଭଳି ହିନ୍ଦୋଳରୁ ବିଧାୟକ ହୋଇଥିବା ସୀମାରାଣୀ ନାୟକଙ୍କ ନାଁ ବି ମୁଖ୍ୟ ସଚେତକ ପାଇଁ ଚର୍ଚ୍ଚା ହେଉଛି । ବିଜେଡିରୁ ଆସି ବିଜେପିରୁ ବିଧାୟକ ହୋଇଥିବା ଅନେକ ନେତାଙ୍କୁ ପଦ ମିଳିନଥିବାରୁ ସୀମାରାଣୀଙ୍କ ନାଁ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ ଯେ, ମୋଟ୍ ୭୮ ବିଜେପି ବିଧାୟକଙ୍କ ମଧ୍ୟରେ ୫୨ ନୂଆ ଚେହେରା । ତେଣୁ ସରକାରୀ ଦଳ ଉପ-ସଚେତକ ଭାବେ ଜଣେ ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ । ଆଉ ଏହି କ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ନାଁ ଚର୍ଚ୍ଚାରେ ରହିଛି । ମୋହନ ମାଝିଙ୍କ ମନ୍ତ୍ରୀମଣ୍ଡଳରେ ୧୩ ଜିଲ୍ଲା ମନ୍ତ୍ରୀଶୂନ୍ୟ ଥିବାରୁ ଏହି ପଦ ମାଧ୍ୟମରେ ନେତାଙ୍କୁ ଥଇଥାନ କରିପାରେ ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/SDSFRFF.jpg)