କନକ ବ୍ୟୁରୋ: ରାଉରକେଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ କିଏ ହେବେ? ଏଥିପାଇଁ କେଉଁ କେଉଁ ନେତା ଆବେଦନ କରିଛନ୍ତି? ଏହାକୁ ନେଇ ଚର୍ଚ୍ଚା ଭିତରେ ସାମନାକୁ ଆସିଛି ରୋଚକ ଖବର । କଂଗ୍ରେସରୁ ଟିକେଟ ପାଇଁ ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ରାଉରକେଲା ବିଜେଡିର ତିନି ସକ୍ରିୟ ସଦସ୍ୟ । ଦୁଇ ଜଣ ଦଳ ଛାଡିଥିବାବେଳେ ଆଉ ଜଣେ ଏବେ ବି ବିଜେଡି ପାଇଁ କାମ କରୁଛନ୍ତି । ହେଲେ, ବିଜେଡି ପାଇଁ କାମ କରୁଥିବାବେଳେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିବା ଆଲୋଚନାର ବିଷୟ ହୋଇଛି ।

Advertisment

ଜଗଦୀଶ ଜୟସ୍ୱାଲ, ରାଉରକେଲା । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ତଥା ରାଉରକେଲା ମୁନସିପାଲିଟି ଅଂଚଳର ବିଜେଡିର ଜଣେ ସକ୍ରିୟ କର୍ମୀ । ହେଲେ, ଆଶ୍ଚର୍ଯ୍ୟଜନକ ଭାବେ ସେ କଂଗ୍ରେସରୁ ଟିକେଟ ପାଇବା ପାଇଁ ଆବେଦନ କରିଛନ୍ତି । ଏବଂ ଟିକେଟ ପାଇଲେ ନିର୍ବାଚନ ଲଢ଼ିବାକୁ ପ୍ର୍ରସ୍ତୁତି ଚଳାଇଛନ୍ତି । ବଡ କଥା ହେଉଛି, ଏକଥାକୁ କ୍ୟାମେରାସାମନାରେ ନିଜେ କହିଛନ୍ତି ଜଗଦୀଶ । ସେହିପରି ଏକଦା ରାଉରକେଲା ବିଜେଡିରେ ଅତ୍ୟନ୍ତ ପ୍ରଭାବଶାଳୀ ଥିବା ବୀରେନ୍ଦ୍ର ପଟ୍ଟନାୟକ ମଧ୍ୟ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଛନ୍ତି । ଟିକେଟ ପାଇବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସହ କଥାବାର୍ତା ଚଳାଇଛନ୍ତି । ଆଉ ଟିକେଟ ମିଳିଲେ ସେ ବିରୋଧୀଙ୍କୁ ମାତ ଦେବେ ବୋଲି କହିଛନ୍ତି ।

ଏପଟେ ଦିଲ୍ଲୀପ ରାୟଙ୍କ ସମର୍ଥକ କୁହାଯାଉଥିବା ମହିଳା ନେତ୍ରୀ ସବିତା ଖାତୁନ ମଧ୍ୟ କଂଗ୍ରେସରୁ ଟିକେଟ ଆଶାୟୀ ଅଛନ୍ତି । ସବିତା କଂଗ୍ରେସର ପ୍ରଗମନ ଆପରେ ଆବେଦନ କରିଛନ୍ତି । ଟିକେଟ ମିଳିଲେ ଲଢ଼େଇ କରିବେ ବୋଲି କହିଛନ୍ତି । ତେବେ କେବଳ ଏହି ତିନି ଜଣ ନୁହନ୍ତି, ଅନ୍ୟ ଦଳର ବହୁ ନେତା କଂଗ୍ରେସ ସମ୍ପର୍କରେ ଅଛନ୍ତି ଓ ସମୟ ଆସିଲେ ସାମିଲ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା । ଅନ୍ୟପଟେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା ବିଜେଡି ନେତା ।

ଏଥର କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଦଳ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ନେତାମାନେ ଲବି କରିବା ବଦଳରେ ଟିକେଟ ପାଇଁ ଏକ ସ୍ୱତନ୍ତ୍ର ଆପ୍ ଜରିଆରେ ଆବେଦନ କରିଛନ୍ତି । ସେହି ଆପରେ ରାଉରକେଲାରୁ ପ୍ରାର୍ଥୀ ହେବାକୁ ଅନଲାଇନରେ ଏହି ତିନି ଜଣଙ୍କ ସମେତ ପ୍ରାୟ ୩୩ ଜଣ ଆବେଦନ କରିଛନ୍ତି ।