କେଉଁ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ? ରାହୁଲଙ୍କ ଚିନ୍ତା ବଢାଇବ ରାଜସ୍ଥାନ ଓ ମଧ୍ୟପ୍ରଦେଶ, ତେଲେଙ୍ଗାନାରେ କେସିଆରଙ୍କ ହାତରେ ପୁଣି କମାଣ
କନକ ବ୍ୟୁରୋ : ୫ଟି ରାଜ୍ୟର ଫଳାଫଳ ଆସିବା ପରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୟୀ ଦଳ । ଆଉ ଏହାରି ଭିତରେ ଜୋର ଧରିଛି ଚର୍ଚା, କାହା ହାତରେ ରହିବ ରାଜ୍ୟର ଦାୟିତ୍ୱ? କିଏ ହେବ ମୁଖ୍ୟମନ୍ତ୍ରୀ?
Kanak News is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନ
ବସୁନ୍ଧରା ରାଜେ ସରକାରକୁ ହଟାଇ ରାଜସ୍ଥାନରେ କ୍ଷମତାକୁ ଫେରିଥିବା କଂଗ୍ରେସର ମୁଖ୍ୟମନ୍ତ୍ରୀ ଦୌଡରେ ଦୁଇ ଜଣ ହେବିୱେଟ୍ ରହିଛନ୍ତି । ଅଶୋକ ଗେହଲଟ୍ ଏବଂ ସଚିନ୍ ପାଇଲଟ୍ । ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ତଥା ଦୁଇ ଦୁଇ ଥରର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ହାଇକମାଣ୍ଡ ପୁଣିଥରେ ଏହି ୱାରହର୍ସଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ସମ୍ଭାବନା ରହିଛି । ଯାହା ପାଖରେ ରହିଛି ଦୀର୍ଘଦିନର ରାଜନୈତିକ ଅଭିଜ୍ଞତା ଓ ଅନୁଭବ । ତେଣୁ ଏହି ବିଶ୍ୱାସୀ ସିପାହୀଙ୍କ ହାତରେ ଶାସନ ଡୋରି ଦେଇପାରେ କଂଗ୍ରେସ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରେସରେ ଅଶୋକଙ୍କ ପାଇଁ ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛନ୍ତି ରାଜସ୍ଥାନ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ୍ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଯୁବ ସହଯୋଗୀ । ରାଜ୍ୟରେ କଂଗ୍ରେସର ପୁନରୁଦ୍ଧାର ଓ ଦଳକୁ ଶକ୍ତିଶାଳୀ କରିବାରେ ସଚିନ ପାଇଲଟଙ୍କ ଭୂମିକା ଗୁରୁତ୍ୱପୂଣ୍ଣ ରହିଛି । ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଜଣେ ଯୁବନେତାଙ୍କ ହାତରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରେ କଂଗ୍ରେସ ହାଇକମାଣ୍ଡ ।
ମଧ୍ୟପ୍ରଦେଶରେ ବି ସମାନ ସ୍ଥିତି । ମୁଖ୍ୟମନ୍ତ୍ରୀ ଭାବେ ଏଠାରେ ବି କଂଗ୍ରେସର ଦୁଇଟି ହେବିୱେଟ୍ ଚେହେରା ରହିଛନ୍ତି । କମଲ ନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଜଣେ ଯୁବ ନେତା ଏବଂ ଅନ୍ୟଜଣେ ବରିଷ୍ଠ ରାଜନେତା । ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାରର ମଙ୍ଗ ଧରିଥିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କମଲ ନାଥ । ତାଙ୍କ ପାଖରେ ରହିଛି ସମସ୍ତ ବିଧାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦିଗବିଜୟ ସିଂହ ସମର୍ଥନ । କମଲ ନାଥଙ୍କ ଗୋଟିଚାଳନାରେ ଏଥର ନିର୍ବାଚନକୁ ଓହ୍ଲାଇଥିଲା କଂଗ୍ରେସ । ସେହିଭଳି କମଲନାଥଙ୍କ ମୁଖ୍ୟମନ୍ତ୍ରୀ ପଥରେ ବଡ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଯୁବ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଗ୍ୱାଲିଅର ସିନ୍ଧିଆ ପରିବାରରୁ ଆସିଥିବା ଏହି ନେତା ହେଉଛନ୍ତି ଦଳର ଯୁବ ଚେହେରା । ତିନି ତିନି ଥର ସଂସଦକୁ ନିର୍ବାଚିତ ହେବା ସହ ମନ୍ତ୍ରୀ ପଦ ବି ତୁଲାଇଛନ୍ତି ଜ୍ୟୋତିରାଦିତ୍ୟ ।
ଛତିଶଗଡରେ ୧୫ ବର୍ଷର ବିଜେପି ସରକାରକୁ ମାତ୍ ଦେଇ ସରକାରକୁ ଆସିଥିବା କଂଗ୍ରେସର ମୁଖ୍ୟମନ୍ତ୍ରୀ ରେସରେ ଚାରି ଜଣଙ୍କ ନାଁ ଶୁଣିବାକୁ ମିଳୁଛି । ଛତିଶଗଡ ପିସିସି ସଭାପତି ଭୁପେଶ ବାଘେଲ, ବିରୋଧୀ ଦଳ ନେତା ଟି.ଏସ୍ ସିଂଦେଓ, ରାଜ୍ୟରୁ ଏକମାତ୍ର ସାଂସଦ ତମରାଧୱାଜ ସାହୁ ଏବଂ ପୂର୍ବତନ ମନ୍ତ୍ରୀ ତଥା ଲୋକପ୍ରିୟ ନେତା ଚରଣ ଦାସ ମହନ୍ତ । ଚାରି ଜଣ ଯାକ ବରିଷ୍ଠ ଏବଂ ଅଭିଜ୍ଞ ନେତା । ମନ୍ତ୍ରୀ ପଦ ବି ତୁଲାଇଛନ୍ତି । ତେଣୁ ଛତିଶଗଡରେ ଜଣେ ବରିଷ୍ଠ ନେତାଙ୍କୁ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସମ୍ଭାବନା ରହିଛି ।
ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ପାଇଁ ଅପ୍ରତିଦ୍ୱନ୍ଦୀ ରହିଛନ୍ତି ଟିଆରଏସ୍ ମୁଖ୍ୟ କେସିଆର୍ । ଆନ୍ଧ୍ରରୁ ଅଲଗା ହୋଇଥିବା ଏହି ରାଜ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କେ.ଚନ୍ଦ୍ରଶେଖର ରାଓ । ସରକାର ଭାଂଗି ପୁଣି ନିର୍ବାଚନରେ ସାମିଲ ହୋଇଥିବା କେସିଆର୍ ପୁଣିଥରେ ତେଲେଙ୍ଗାନାର ନେତୃତ୍ୱେ ନେବେ ।
ମିଜୋରାମରେ କଂଗ୍ରେସକୁ ହଟାଇ ସରକାର ଗଢିବାକୁ ପ୍ରସ୍ତୁତ ହେଉଥିବା ମିଜୋ ନାସନାଲ୍ ଫ୍ରଣ୍ଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଜଣଙ୍କର ନାଁ ଆଗରେ ରହିଛି । ସେ ହେଉଛନ୍ତି ଜୋରାମଥଙ୍ଗା । ଲଗାତର ଦୁଇ ଦୁଇ ଥରର ମୁଖ୍ୟମନ୍ତ୍ରୀ । ଏବେ ପୁଣିଥରେ ରାଜ୍ୟର ନେତୃତ୍ୱ ନେବାକୁ ତୟାର ଏହି ବରିଷ୍ଠ ନେତା ।