ପଞ୍ଜାବ କଂଗ୍ରେସର କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା? ସିଦ୍ଧୁ ଓ ଚନ୍ନିଙ୍କ ମଧ୍ୟରେ ଟଣାଓଟରା!

110

କନକ ବ୍ୟୁରୋ: ପଞ୍ଜାବ କଂଗ୍ରେସରେ ଦିନକୁ ଦିନ କନ୍ଦଳ ବଢିବାରେ ଲାଗିଲାଣି । ବିଧାନସଭା ନିର୍ବାଚନ ପାଇଁ କିଏ ହେବ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଏହାକୁ ନେଇ ଅନ୍ତଦ୍ୱର୍ନ୍ଦ ଲାଗି ରହିଛି । ଏହାରି ଭିତରେ ବିବାଦକୁ ଆହୁରି ବଢାଇ ଦେଇଛି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ବୟାନ ।

ଅମୃତସରରେ ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁ କହିଛନ୍ତି, “ମୁଁ ସବୁବେଳେ ପଞ୍ଜାବବାସୀଙ୍କ ହକ୍ ପାଇଁ ଲଢି ଆସୁଛି, ଆଗକୁ ବି ଲଢୁଥିବି । କଣ ନବଜୋତ୍ ସିଂହ ସିଦ୍ଧୁ ରାଜନୈତିକ ସମସ୍ୟାକୁ ନେଇ ବିଚଳିତ ହେଉଛି? କଣ ସିଦ୍ଧୁ ବଜେଟ୍ ଭାଗବଣ୍ଟାକୁ ନେଇ ବିଚଳିତ ହେଉଛି? କଣ ସିଦ୍ଧୁ ନିଜର ମାଦକ ଦ୍ରବ୍ୟର ବ୍ୟବସାୟ ଖୋଲିଛି? ମୋ ପଂଜାବ ମଡେଲ ହେଉଛି ରାଜ୍ୟର କୁନି କୁନି ପିଲାଙ୍କ ଭାଗ୍ୟ ପରିବର୍ତନ କରିବା, ରାଜ୍ୟବାସୀଙ୍କ ଓ ଆଜିର ଯୁବପିଢି ପାଇଁ କିଛି କରିବା । ଆଜି ପଞ୍ଜାବବାସୀଙ୍କୁ ହିଁ ଏହି ନିଷ୍ପତ୍ତି ନେବାକୁ ହେବ । ମୁଖ୍ୟମନ୍ତ୍ରୀ ସିଏ ହେବ ଯାହା ପାଖରେ ୬୦ ଜଣ ବିଧାୟକଙ୍କ ସମର୍ଥନ ଥିବ ।”

ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ନବଜୋତ ସିଂହ ସିଦ୍ଧୁ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କ ଭିତରେ ଚାଲିଛି ଟଣାଓଟରା । ତେବେ ଯଦି ପଞ୍ଜାବରେ କଂଗ୍ରେସ ସରକାର ଗଢେ ତାହାଲେ ୫୦-୫୦ ଫର୍ମୁଲାରେ ଚନ୍ନି ଓ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି । ହେଲେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛି କଂଗ୍ରେସ । ୫୦-୫୦ ଫର୍ମୁଲାରେ ମୁଖ୍ୟମନ୍ତ୍ରୀ କରାଯିବାର କୌଣସି ଯୋଜନା ନଥିବା କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହ ରାହୁଲ ଗାନ୍ଧୀ କେବଳ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ବୋଲି ନିଷ୍ପତି ହୋଇଛି । ସେପଟେ କଂଗ୍ରେସରେ ଲାଗି ରହିଥିବା କନ୍ଦଳର ଫାଇଦା ଉଠାଇବାକୁ ଲାଗି ପଡିଛନ୍ତି ଅନ୍ୟ ରାଜନୈତିକ ଦଳ ।

ରବିବାର ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ହେବ ସେନେଇ ଘୋଷଣା କରିବେ ରାହୁଲ ଗାନ୍ଧୀ । ଆଉ ଏହା ପୂର୍ବରୁ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ନିଜ ପାଇଁ ଅଡୁଆ ସୃଷ୍ଟି କରିସାରିଛନ୍ତି ସିଦ୍ଧୁ । ଶୁକ୍ରବାର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ ନବଜୋତ ସିଂହ ସିଦ୍ଧୁ । ସେ କହିଥିଲେ ଉପରେ ବସିଥିବା ବଡ ନେତା ରାଜ୍ୟ ପାଇଁ ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହୁଛନ୍ତି । କେବଳ ସେତିକି ନୁହେଁ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ମଧ୍ୟ କରିଛନ୍ତି ଟାର୍ଗେଟ । ଏହାଭିତରେ କଂଗ୍ରେସର କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ତାହା ଦେଖିବାକୁ ବାକି ରହିଲା ।