କିଏ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ? ଦିଲ୍ଲୀରେ ଶୀର୍ଷ ନେତୃତ୍ୱ କାହା ଉପରେ ଢ଼ାଳିବେ ସୁନା କଳସ ଲାଗି ରହିଛି ଚର୍ଚ୍ଚା 

145

କନକ ବ୍ୟୁରୋ: ମଧ୍ୟପ୍ରଦେଶ ରାଜନୀତି ପୁଣି ଚର୍ଚ୍ଚାରେ । ନିର୍ବାଚନରେ ବିଜୟୀ ହେବା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଚାଲିଛି । ଅନେକ ନେତା ମୁଖ୍ୟମନ୍ତ୍ରୀ ହେବାକୁ ନିଜ ନିଜ ଶୈଳୀରେ ଦଳର ହାଇକମାଣ୍ଡଙ୍କୁ ବାର୍ତା ଦେଉଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ସେ ତାଙ୍କ ପରିବାର ଲୋକଙ୍କ ସହ ଏକ ରେଷ୍ଟୁରାଂଟ ଯାଇଛନ୍ତି । ଯେଉଁଠାରେ ସେ ନୈଶ୍ୟ ଭୋଜିରେ ଯୋଗ ଦେଇଛନ୍ତି । ଖାଇବା ଥାଳିରେ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ କଥା ହେଉଛନ୍ତି । ଏବଂ ରେଷ୍ଟୁରାଂଟରେ ଏକ ଛୋଟ ପିଲାର ଜନ୍ମଦିନ କେକ ମଧ୍ୟ କାଟିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଅନେକ ନାମ ଚର୍ଚ୍ଚା ହେଉଛି । ନିର୍ବାଚନର ସଫଳତା ପଛରେ ପ୍ରଧାନମନ୍ତ୍ରୀଙ୍କ ପରେ ଦ୍ୱିତୀୟ ଶ୍ରେୟ ଯାଉଛି ଶିବରାଜ ସିଂହ ଚୌହାନଙ୍କୁ । ହେଲେ ଏବେ ରେସରେ ଅଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ, କୈଳାଶ ବିଜୟଭର୍ଗିଆ ଭଳି ନେତା । ତେବେ ଅନେକ ନେତା ପଦ ପାଇବାକୁ ଚାପରେ ଥିବା କୁହାଯାଉଥିବା ବେଳେ ଶିବରାଜ ସିଂଙ୍କ ଏହି ନୈଶ୍ୟ ଭୋଜି ଅନେକ ବର୍ତ୍ତା ଦେଉଛି । ଗୋଟିଏ ପଟେ କୁହାଯାଉଛି ମୁଖ୍ୟମନ୍ତ୍ରୀ ହେବା ନେଇ ‘ମାମା’ ବେଶୀ ଚିନ୍ତିତ ନୁହେଁ । କାରଣ ଏଯାବତ ସେ ୪ ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି । ଏଥର ଯଦି ଆସନ ଅଳଙ୍କୃତ କରିବେ ତାହେଲେ ପଂଚମ ଥର ହେବେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଶିବରାଜ ନିଜ ସ୍ଥାନରେ ନିରବ ରହି ଶୀର୍ଷ ନେତୃତ୍ୱକୁ ବାର୍ତା ଦେବାକୁ ଚାହୁଁଛନ୍ତି ଯେ ସେ ପଦ ପାଇଁ ଆଦୌ ଲାଳାୟତ ନୁହନ୍ତି । ଏବଂ ସେ ଜଣେ ଶୃଙ୍ଖଳିତ ନେତା । ଦଳ ହାଇକମାଣ୍ଡଙ୍କ ଆଦେଶ ସର୍ବମାନ୍ୟ ।