ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ, ଜାରି ରହିଛି କଳ୍ପନାଜଳ୍ପନା । ଧର୍ମେନ୍ଦ୍ର ପ୍ରଧାନ, ଗିରୀଶ ମୁର୍ମୁ ଏବଂ ଶକ୍ତିକାନ୍ତ ଦାସଙ୍କୁ ନେଇ ଜୋରଦାର ଚର୍ଚ୍ଚା

841

କନକ ବ୍ୟୁରୋ : କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ? ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ଫଳାଫଳ ଆସିବାର ଗୋଟିଏ ଦିନ ପରେ ବି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ସମସ୍ତେ କେନ୍ଦ୍ରୀୟ ନିଷ୍ପତିକୁ ଅପେକ୍ଷା କରି ରହିଛନ୍ତି । ଦିନେ ଦୁଇ ଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ଦିଲ୍ଲୀରୁ ନାଁ ଚୂଡାନ୍ତ ହେବା ପରେ ଏଠାରେ ବିଧାୟକ ଦଳ ବୈଠକ ବସି ତାଙ୍କୁ ନେତା ନିର୍ବାଚିତ କରାଯିବ ।

ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ । ଚର୍ଚ୍ଚାର ଶୀର୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ରହିଛି । ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ସରପ୍ରାଇଜ୍ କାର୍ଡ ଭାବେ ନୂଆ ଚେହେରା ମଧ୍ୟ ସାମ୍ନାକୁ ଆସିପାରେ । ଭାରତ ସରକାରଙ୍କ କଂଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଗିରିଶ ମୁର୍ମୁ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ନେଇ ବି ଜୋରଦାର ଚର୍ଚ୍ଚା କରାଯାଉଛି । ଜୁନ୍ ୧୦ ତାରିଖରେ ଭୁବନେଶ୍ୱରରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏବେ ସବୁଠୁ ବଡ ପ୍ରଶ୍ନ ୧୦ ତାରିଖରେ କିଏ ନେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ, ତାହା ଉପରେ ସଭିଁଙ୍କ ନଜର । ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବାଛିବାରେ ସବୁବେଳେ ସସପେନ୍ସ ରଖିଥାଏ ବିଜେପି । ଗତବର୍ଷ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବି ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଶେଷ ପର୍ଯ୍ୟନ୍ତ ବି ଜଣାନଥିଲା । ସଭିଁଙ୍କୁ ଚିକତ କଲା ଭଳି ମଧ୍ୟ ପ୍ରଦେଶରେ ମୋହନ ଯାଦବ ଓ ରାଜସ୍ଥାନରେ ଭଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା ।