କିଏ ହେବେ ମୁଖ୍ୟ ସୂଚନା କମିସନର ? ଚର୍ଚ୍ଚାରେ ଆଇପିଏସ୍ ଅଫିସରଙ୍କ ନାମ

ନିଯୁକ୍ତି ପାଇଁ ଆଜି ଅପରାହ୍ନରେ ବୈଠକ

247

କନକ ବ୍ୟୁରୋ : ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି ଏବେ ଖାଲି ପଡ଼ିଛି । ଏହି ପଦବିରେ ନିଯୁକ୍ତି ପାଇଁ ଆଜି ଅପରାହ୍ନରେ ଚୟନ କମିଟି ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ହେବାକୁ ଥିବା ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ସାମିଲ ହେବେ । ଏ ବୈଠକରେ ଜଣଙ୍କ ନାମ ଚୂଡ଼ାନ୍ତ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯିବ । ରାଜ୍ୟପାଳ ଅନୁମୋଦନ ଦେଲା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।

ମୁଖ୍ୟ ସୂଚନା କମିସନର ସୁନିଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ଗ୍ରହଣ କରିଥିଲେ। ତାହା ପୂର୍ବରୁ ଜୁନ୍ ମାସରେ ଏହି ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ଜୁଲାଇ ୩୧ ତାରିଖ ସୁଦ୍ଧା ଆଗ୍ରହୀ ବ୍ୟକ୍ତିମାନେ ଆବେଦନ କରିବାକୁ କୁହାଯାଇଥିଲା । ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ବି ଚୟନ କମିଟି ବୈଠକ ବସି ନ ଥିଲା। ଏଥର ମୁଖ୍ୟ ସୂଚନା କମିସନର୍ ପଦବି ପାଇଁ ଦୁଇ ଜଣ ଆଇପିଏସ୍ ଅଫିସରଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି । ଜଣେ ହେଲେ ଅଗ୍ନିଶମ ଡିଜି ଏମ୍ ଅକ୍ଷୟ ଓ ଅନ୍ୟ ଜଣେ ହେଲେ ତାମିଲନାଡ଼ୁର ପୂର୍ବତନ ଡିଜି ଜଳଦ କୁମାର ତ୍ରିପାଠୀ। ଶ୍ରୀ ଅକ୍ଷୟ ଆସନ୍ତା ନଭେମ୍ବର ମାସରେ ଅବସର ଗ୍ରହଣ କରିବେ ।

ଶ୍ରୀ ତ୍ରିପାଠୀ ଗତ ଜୁନ୍ ମାସରୁ ଅବସର ନେଇ ସାରିଛନ୍ତି । ତାମିଲନାଡ଼ୁ କ୍ୟାଡର୍‌ର ଆଇପିଏସ୍ ଅଫିସର ଶ୍ରୀ ତ୍ରିପାଠୀଙ୍କ ଘର ଓଡ଼ିଶାରେ । ଏହା ବାଦ୍ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ ସାମଲ ମଧ୍ୟ ଏହି ପଦବି ପାଇଁ ଜଣେ ଦାବିଦାର ଥିବା କୁହାଯାଉଛି । ଶ୍ରୀ ସାମଲ ଚଳିତ ମାସରେ ଅବସର ଗ୍ରହଣ କରିବେ । ଏପରିକି ବର୍ତ୍ତମାନର ଡିଜି ଅଭୟ ଆସନ୍ତା ନଭେମ୍ବର ମାସରେ ଅବସର ନେଉଥିବାରୁ ତାଙ୍କ ନାମ ମଧ୍ୟ ମୁଖ୍ୟ ସୂଚନା କମିସନର ପଦବି ପାଇଁ ବିଚାର କରାଯାଇପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ ୨୦୦୫ ନଭେମ୍ବର ମାସରୁ ରାଜ୍ୟ ସୂଚନା କମିସନ କାର୍ଯ୍ୟକ୍ଷମ ହେଲା ପରେ ତିନି ଜଣ ମୁଖ୍ୟ ସୂଚନା କମିସନର ଭାବେ କାର୍ଯ୍ୟ କରିଛନ୍ତି । ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଡି ଏନ୍ ପାଢ଼ୀ ପ୍ରଥମ ମୁଖ୍ୟ ସୂଚନା କମିସନର୍ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ପରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ଏହି ପଦବିରେ ଅବସ୍ଥାପିତ ହୋଇଥିଲେ । ଶ୍ରୀ ମିଶ୍ରଙ୍କ ପରେ ଅବସରପ୍ରାପ୍ତ ଆଇଆର୍‌ଏସ୍‌ ଅଫିସର ସୁନିଲ ମିଶ୍ର ମୁଖ୍ୟ ସୂଚନା କମିସନର୍ ଭାବେ କାର୍ଯ୍ୟ କରି ଗତ ଅଗଷ୍ଟ ମାସରେ ଅବସର ଗ୍ରହଣ କରିଛନ୍ତି ।