ଫାଇନାଲ ମ୍ୟାଚରେ ଯଦି ବର୍ଷା ହୁଏ, ତେବେ କିଏ ହେବ ଚାମ୍ପିୟନ? ଜାଣନ୍ତୁ କଣ କହୁଛି ନିୟମ?

8,430

କନକ ବ୍ୟୁରୋ : ଆଉ କିଛି ସମୟର ଅପେକ୍ଷା, ସୁପର ସଣ୍ଡେରେ ଦେଖିବାକୁ ସୁପରହିଟ୍ ମୁକାବିଲା । ଆଇପିଏଲର ଫାଇନାଲ ମୁକାବିଲା ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ଗୁଜୁରାଟ ନା ଚେନ୍ନାଇ, ଚଳିତ ଆଇପିଏଲରେ କିଏ ଚାମ୍ପିୟନ ହେବ ତାହାକୁ ସଭିଙ୍କର ଅପେକ୍ଷା । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ରହିଛି । କିନ୍ତୁ ଏହି ଫାଇନାଲ ମୁକାବିଲାକୁ ଫିକା କରିପାରେ ବର୍ଷା । ଏଭଳି ସମ୍ଭାବନା ମଧ୍ୟ ରହିଛି । କାରଣ ଅହମ୍ମଦାବାଦରେ ଆଜି ସନ୍ଧ୍ୟାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଗୁଜୁରାଟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତେଣୁ ଫାଇନାଲ ମ୍ୟାଚର ରୋମାଞ୍ଚକୁ ବର୍ଷା ପ୍ରଭାବିତ କରିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଯଦି ବର୍ଷା ହୁଏ ଏବଂ ମ୍ୟାଚ୍ ରଦ୍ଦ ହୁଏ ତେବେ କିଏ ହେବ ଆଇପିଏଲ ଚାମ୍ପିୟନ  ଏବଂ କଣ ରହିଛି ଆଇପିଏଲ ନିୟମ । ତାହା ଉପରେ କ୍ରିକେଟପ୍ରେମୀ ଥରେ ନଜର ପକାନ୍ତୁ ।

ଚଳିତ ଆଇପିଏଲରେ ଫାଇନାଲ ପାଇଁ ରିଜର୍ଭ ଡେ ରଖାଯାଇଛି । ତେଣୁ କେଉଁ ଦଳ ଚାମ୍ପିୟନ ହେବ ତାହା ୨୯ ତାରିଖରେ ସ୍ପଷ୍ଟ ହେବ । ଫାଇନାଲ ମୁକାବିଲା ଆଜି ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । କିନ୍ତୁ ଏଥିରେ ଯଦି ବର୍ଷା ବାଧକ ସାଜିଲା ଏବଂ ୯,୪୦ ଭିତରେ ପୁଣିଥରେ ଖେଳ ସମ୍ଭବ ହୋଇପାରିଲା ତେବେ ମ୍ୟାଚର କୌଣସି ଓଭର କଟାଯିବ ନାର୍ହି । କିନ୍ତୁ ୯.୪୦ ପରେ ଯଦି ଖେଳ ସମ୍ଭବ ନହେଲେ ତେବେ ୫ ଓଭର ମ୍ୟାଚର ବିକଳ୍ପ ରହିଛି । କିନ୍ତୁ ଏଥିପାଇଁ ମଧ୍ୟ ସ୍ଥିରୀକୃତ ସମୟ ରହିଛି । ୧୧ଟା ୫୬ ମିନିଟ୍ ମଧ୍ୟରେ ଖେଳ ସମ୍ଭବ ହେଲେ ତାହା ୫ ଓଭର ବିଶିଷ୍ଟ ହେବ । କିନ୍ତୁ ୧୧.୫୬ ପରେ ମଧ୍ୟ ଯଦି ୫ ଓଭର ମ୍ୟାଚ୍ ସମ୍ଭବ ନହୋଇ ପାରିଲା ତେବେ ସୁପର ଓଭର ବିକଳ୍ପ ବ୍ୟବହାର କରାଯିବ । କିନ୍ତୁ ଯଦି ସୁପର ଓଭର ମଧ୍ୟ  ନହୋଇ ପାରିଲା ଏବଂ ମ୍ୟାଚରେ ଗୋଟିଏ ବି ବଲ ନ ପଡିଲା ତେବେ ଗୁଜୁରାଟ ଟିମକୁ ବିଜେତା ଘୋଷଣା କରାଯିବ । କାରଣ ଲିଗ୍ ପର୍ଯ୍ୟାୟରେ ଯେଉଁ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବ ସେହି ଦଳକୁ ଚାମ୍ପିୟନ ଘୋଷିତ କରାଯିବ । ଲିଗ୍ ପର୍ଯ୍ୟାୟରେ ଗୁଜୁରାଟ ପ୍ରଥମ ସ୍ଥାନରେ ଥିବା ବେଳେ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ବର୍ଷା କାରଣରୁ ମ୍ୟାଚ୍ ରଦ୍ଦ ହେଲେ ଆଇପିଏଲ  ଆପେନଡିକ୍ସ ଏଫ୍ ନିୟମ ଅନୁଯାୟୀ ଗୁଜୁରାଟ ଫାଇଦାରେ ରହିବ ।

ଗତଥର ଆଇପିଏଲ ଫାଇନାଲ ମୁକାବିଲା ପାଇଁ ରିଜର୍ଭ ଡେ ରଖାଯାଇଥିଲା । ଏବର୍ଷ ମଧ୍ୟ ରିଜର୍ଭ ଡେ ରଖାଯାଇଛି । ତେବେ  କ୍ରିକେଟପ୍ରେମୀ ଆଶା ରଖିଛନ୍ତି ମ୍ୟାଚରେ ବର୍ଷା ବାଧକ ନ ସାଜୁ । କାରଣ ଫାଇନାଲରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ପାଇବେ କ୍ରିକେଟପ୍ରେମୀ । ଗୋଟିଏ ପଟେ ୪ ଥରର ଚାମ୍ପିୟନ ଚେନ୍ନାଇ ଥିବା ବେଳେ ଅନ୍ୟପଟେ ରହିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜୁରାଟ ଟାଇଟନ୍ସ । ତେଣୁ ଉଭୟ ଟିମ୍ ପୁଣିଥରେ ଟାଇଟଲ ହାତେଇବାକୁ ମୈଦାନକୁ ଓହ୍ଲାଇବେ । କ୍ୱାଲିଫାଏର-୧ରେ ଗୁଜୁରାଟକୁ ହରାଇ ଚେନ୍ନାଇ ଫାଇନାଲରେ ଏଣ୍ଟ୍ରି କରିଥିବା ବେଳେ କ୍ୱାଲିଫାଏର-୨ରେ ମୁମ୍ବାଇକୁ ହରାଇ ଫାଇନାଲ ଟିକେଟ ହାତେଇଛି ଗୁଜୁରାଟ ।