ଘୋଷଣା ହେଲା ନିର୍ବାଚନର ତାରିଖ, ବଢିଲା ସସପେନ୍ସ । ପାଟକୁରାରେ କିଏ ହେବେ ବିଜେଡି ପ୍ରାର୍ଥୀ ?

548

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ପାଟକୁରା ରାଜନୀତି । କିଏ ହେବେ ବିଜେଡି ପ୍ରାର୍ଥୀ, ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ କୁହାଯାଉଛି ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିପାରେ ବିଜୁ ଜନତା ଦଳ । ଆସନ୍ତା ୧୯ ତାରିଖରେ ପାଟକୁରାରେ ଭୋଟଗ୍ରହଣ ହେବ । ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା ।

ତେବେ ସବୁଠାରୁ ବଡ କଥା ହେଉଛି, ପାଟକୁରାରେ କେବଳ ବିଜେଡି ହିଁ ନୂଆ ପ୍ରାର୍ଥୀ ଦେବ । ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିପାରିବେ ନାହିଁ । ସ୍ଥଗିତ ହୋଇଥିବା ପାଟକୁରା ବିଧାନସଭା ଆସନ ପାଇଁ ଏଭଳି ନିଷ୍ପତି ନେଇଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସ୍ଥଗିତ ହୋଇଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେବଳ ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ ବୋଲି ସୂଚନା ଦେଇଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ।

ତେବେ ମେ ପହିଲା ନାମାଙ୍କନ ଦାଖଲ ଶେଷ ତାରିଖ ରହିଥିବାବେଳେ ୨ ରେ ପ୍ରାର୍ଥୀପତ୍ର ଯାଂଚ ହେବ । ମେ ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିବାବେଳେ ୧୯ ତାରିଖରେ ଭୋଟ ପଡିବ । ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ପାଟକୁରାରେ ବିଜେଡି ନୂଆ ପ୍ରାର୍ଥୀ ଘୋଷଣା କରିବ । ବର୍ତମାନ ଏହି ଆସନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ଆସନରୁ ବିଜେପିରୁ ଲଢୁଛନ୍ତି ବିଜୟ ମହାପାତ୍ର । ସେହିପରି କଂଗ୍ରେସ ଟିକେଟରୁ ମଇଦାନରେ ଅଛନ୍ତି ଜୟନ୍ତ ମହାନ୍ତି । ଏହି ଦୁଇ ତୁଙ୍ଗ ନେତାଙ୍କୁ ଟକ୍କର ଦେବା ପାଇଁ ବିଜେଡି କାହାକୁ ମଇଦାନକୁ ଓହ୍ଲାଉଛି, ତାହା ଉପରେ ସମସ୍ତଙ୍କ ନଜର ।