କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ କିଏ ହେବେ ପ୍ରାର୍ଥୀ? ପୁରୁଣା ନା ନୂଆ ଚେହେରା କରିବେ ଲଢ଼େଇ?

1,203

କନକ ବ୍ୟୁରୋ: ଆଗାମି ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରୁ ସାଂସଦ ପ୍ରାର୍ଥୀ ହେବ କିଏ?ବିଜେପିରୁ ବସନ୍ତ ପଣ୍ଡା, ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ, କଂଗ୍ରେସରୁ ଭକ୍ତ ଚରଣ ଦାସ ନା ଆଉ କିଏ? ସବୁ ଦଳରୁ ଏକାଧିକ ଆଶାୟୀ ଥିବାବେଳେ କାହାକୁ ଦଳର ହାଇକମାଣ୍ଡ ଟିକେଟ ଦେବେ ତାହା ସ୍ପଷ୍ଟ ହୋଇନି । ତେବେ ଭିନ୍ନ ଭିନ୍ନ ନାଁକୁ ନେଇ ଜୋର ଧରିଲାଣି ଚର୍ଚ୍ଚା ।

କଳାହାଣ୍ଡି ଲୋକସଭା ଆସନର ତିନି ଟାଣୁଆ ନେତା । ୨୦୧୯ରେ ଏହି ତିନି ଜଣ ଲୋକସଭା ପ୍ରାର୍ଥୀ ହୋଇଥିଲେ । ବସନ୍ତ ପଣ୍ଡା ବିଜୟୀ ହୋଇଥିବାବେଳେ ପୁଷ୍ପେନ୍ଦ୍ର ସିଂଦେଓ ଓ ଭକ୍ତଚରଣ ଦାସ ପରାଜିତ ହୋଇଥିଲେ । ହେଲେ ଆଗାମି ନିର୍ବାଚନରେ ଏହି ତିନି ନେତା, କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ପୁଣି ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନଥିବାରୁ ଜୋର ଧରିଲାଣି ଭିନ୍ନ ଭିନ୍ନ ଚର୍ଚ୍ଚା ।

କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ୨୦୧୯ରେ କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ବଜୟୀ ହୋଇଥିବା ବସନ୍ତଙ୍କୁ ବିଜେପି ଏଥର ଲୋକସଭା ଆସନରୁ ପ୍ରାର୍ଥୀ କରିବ କି ନାହିଁ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଶେଷକରି ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ସାଂସଦଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ସଫଳତା ପାଇବା ପରେ ବିଜେପି, ଏଥର ସାଂସଦ ବସନ୍ତ ପଣ୍ଡାଙ୍କୁ ଲୋକସଭା ଆସନରୁ ମଇଦାନକୁ ଓହ୍ଲାଇବ ନା କୌଣସି ବିଧାନସଭା ଆସନରୁ ଲଢ଼ାଇବ ସେ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ଆଉ ଏହି ଚର୍ଚ୍ଚା ଭିତରେ ନୂଆ ନାଁକୁ ନେଇ ଚର୍ଚ୍ଚା ବିଜେପି ରାଜନୀତିକୁ ସରଗରମ କରିଛି ।

ପୁଷ୍ପେନ୍ଦ୍ର ସିଂଦେଓ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ଆସନରୁ ତିନି ଥର ବିଧାୟକ ହେବା ସହ ଦୁଇ ଥର ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ । କିନ୍ତୁ ଗତ ୨୦୧୯ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହୋଇ ସେ ପରାଜିତ ହୋଇଥିଲେ । ହେଲେ, ୨୦୨୪ରେ ପୁଷ୍ପେନ୍ଦ୍ର ବିଧାନସଭା ଆସନରୁ ଲଢ଼ିପାରନ୍ତି ବୋଲି ଆଲୋଚନା ହେଉଛି । ଏବଂ ନୂଆ ଚେହେରାକୁ ନବୀନ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି କୁହାଯାଉଛି ।

ସେହିପରି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପୁଣି ଥରେ ଏହି ଆସନରୁ ପ୍ରୀଥୀ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ବିଭିନ୍ନ ଦଳରେ କୋଣଠେସା ହୋଇ ରହିଥିବା କିଛି ନେତା ଓ କର୍ମୀଙ୍କ ମେଳି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ ବୋଲି ଆଶଙ୍କା କରିଛନ୍ତି ରାଜନୀତି ସମୀକ୍ଷକ । ଏସବୁ ଭିତରେ ରାଜନୈତିକ ଦଳଙ୍କ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ଶୀର୍ଷ ନେତୃତ୍ୱଙ୍କ ପାଇଁ ବଡ ଆହ୍ୱାନ ।