କୌଣସି ମୁହୂର୍ତରେ ଆସିପାରେ ବିଜେଡିର ବାକି ଟିକେଟ୍ । ବାଲେଶ୍ୱର ଲୋକସଭା ଆସନ ପାଇଁ କିଏ ହେବ ପ୍ରାର୍ଥୀ, ରହିଛି ନଜର

1,203

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ୭ ଦିନ ସମୟ ରହିଲା । କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ ବିଜେଡି ତା’ର ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ବାକି ଥିବା ଆସନର ଟିକେଟ ଆଶାୟୀଙ୍କ ଟେନସନ ବଢ଼ି ଯାଇଛି । କେବେ ଟିକେଟ୍ ଆସିବ, କାହା ନାଁ ରହିବ, କାହା ନାଁ କଟିବ, ତାକୁ ନେଇ ଚିନ୍ତାରେ ଆଶାୟୀ ପ୍ରାର୍ଥୀ ।

ଦଳ ୨୧ଟିରୁ ୨୦ ଲୋକସଭା ଆସନ ପାଇଁ ଟିକେଟ୍ ଘୋଷଣା କରିସାରିଛି । କିନ୍ତୁ ବାଲେଶ୍ୱରରେ ଦଳ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ସସପେନ୍ସ ଦେଖା ଦେଇଛି । ଲୋକସଭାରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ନେଇ ଦଳ ଘୋଷଣା କରିଛି । ତେଣୁ ବାଲେଶ୍ୱର ଆସନ ପାଇଁ ଯଦି ବିଜେଡି ମହିଳା ପ୍ରାର୍ଥୀ ଘୋଷଣା କରେ, ତାହେଲେ ଏହି କୋଟା ପୂରଣ ହୋଇଯିବ । ଆଉ ଏହି ଆସନ ପାଇଁ କେତେବେଳେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷା ସୋନିଙ୍କ ନାଁ ଚର୍ଚ୍ଚା ହେଉଛି ତ କେତେବେଳେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ଚର୍ଚ୍ଚା ହେଉଛି । କିନ୍ତୁ ଦଳ ଏପର୍ଯ୍ୟନ୍ତ ନାଁ ଘୋଷଣା କରିନାହିଁ । ଯାହା ସୂଚନା ମିଳିଛି, ଖୁବଶୀଘ୍ର ଦଳ ଗୋଟିଏ ଲୋକସଭା ଏବଂ ବାକି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ।