କିଏ ବନିବେ ଆମେରିକାର ୪୬ତମ ରାଷ୍ଟ୍ରପତି । ଜୋ ବାଇଡେନଙ୍କ ଉପରେ ସାରା ବିଶ୍ୱର ନଜର । ୨୮ବର୍ଷ ପରେ ବଦଳିପାରେ ଇତିହାସ

892

କନକ ବ୍ୟୁରୋ : ୭୦ବର୍ଷର ଟ୍ରମ୍ପ ଓ ୭୭ବର୍ଷର ବାଇଡେନ, କିଏ ବନିବେ ଆମେରିକାର ୪୬ତମ ରାଷ୍ଟ୍ରପତି । ମତଦାନର ୩ଦିନ ପରେ ବି କେତେକ ରାଜ୍ୟରେ ସରିନାହିଁ ଭୋଟ ଗଣତି । ତଥାପି ଦୀର୍ଘ ୨୮ବର୍ଷ ପରେ ଇତିହାସ ବଦଳିଲା ଭଳି ଦେଖାଯାଉଛି । କାରଣ ୪ବର୍ଷ କ୍ଷମତାରେ ଥିବା ରିପବ୍ଲିକାନ ରାଷ୍ଟ୍ରପତିଙ୍କୁ ହ୍ୱାଇଟ ହାଉସ ବାହାର ରାସ୍ତା ଦେଖାଇ ପାରନ୍ତି ଡେମୋକ୍ରାଟ ବାଇଡେନ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୭୭ବର୍ଷୀୟ ଚ୍ୟାଲେଂଜର । ବିଶ୍ୱର ସର୍ବପୁରାତନ ଗଣତନ୍ତ୍ରରେ ସର୍ବୋଚ୍ଚ ଆସନ ପାଇଁ ହେଉଥିବା ଲଢେଇରେ ପ୍ରଥମ ଥର ପାଇଁ ଡେମୋକ୍ରାଟ ଦଳ ଦୀର୍ଘ ଅନୁଭୂତି ଥିବା ଜୋ ବାଇଡେନଙ୍କୁ ମଇଦାନକୁ ଓହ୍ଳାଇ ପ୍ରତିପକ୍ଷଙ୍କ ପାଇଁ ବଡ ଚ୍ୟାଲେଂଜ ତିଆରି କରିଥିଲା । ଦୀର୍ଘ ୨୮ବର୍ଷ ପରେ ସରକାରରେ ଥିବା ରିପବ୍ଲିକାନ ରାଷ୍ଟ୍ରପତିଙ୍କ ହାତରୁ କ୍ଷମତା ଛଡାଇ ଆଣିବା ପାଇଁ ଡେମୋକ୍ରାଟ ଯେଉଁ ବାଜି ଖେଳିଥିଲେ ହ୍ୱାଇଟ ହାଉସକୁ ଗୋଲଡେନ ଟିକେଟ ଆକାରରେ ସେହି ବାଜି ସଫଳ ହେବାକୁ ଯାଉଛି । ଗତ ୪ବର୍ଷରେ ଟ୍ରମ୍ପ ଶାସନର ଦୋଷ ଦୁର୍ବଳତାକୁ ଅସ୍ତ୍ର କରି ଆମେରିକାରେ ସରକାର ବିରୋଧୀ ଜନମତକୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି ବାଇଡେନ ।

୨୦୧୬ରେ ବି ଥିଲା ସମାନ ସ୍ଥିତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଡେମୋକ୍ରାଟ ପ୍ରାର୍ଥୀ ହିଲାରୀ କ୍ଲିଂଟନ ବହୁ ଆଗରେ ରହିବା ନେଇ ଆକଳନ କରୁଥିଲେ ସମସ୍ତ ସର୍ଭେ ସଂସ୍ଥା । ଟ୍ରମ୍ପଙ୍କ ଠାରୁ ପ୍ରାୟ ୩୦ଲକ୍ଷ ଅଧିକ ପପୁଲାର ଭୋଟ ବି ପାଇଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ । ହେଲେ ସବୁ ଖେଳ ବିଗାଡି ଦେଲା ଇଲୋକଟୋରାଲ କଲେଜ ଭୋଟ । ଏଥର କିନ୍ତୁ ପରିଣାମ ଡେମୋକ୍ରାଟ ପ୍ରାର୍ଥୀଙ୍କୁ ଅତି ସହଜ ସ୍ଥିତିରେ ପହଂଚାଇ ଦେଇଛି । ଡେମୋକ୍ରାଟଙ୍କ ପାରମ୍ପାରିକ ଗଡ ରହିଆସିଥିବା ରାଜ୍ୟ ଗୁଡିକରେ ସହଜ ବିଜୟ ପରେ ସ୍ୱିଙ୍ଗ ଷ୍ଟେଟ ବା ଝୁଲା ରାଜ୍ୟ ଗୁଡିକରେ ମଧ୍ୟ ବାଇଡେନଙ୍କ ଭଲ ପ୍ରଦର୍ଶନ ହ୍ୱାଇଟ ହାଉସର ଧ୍ୱଜାଧାରୀ ହେବା ପାଇଁ ତାଙ୍କ ରାସ୍ତାକୁ ସୁଗମ କରିଛି ।

ଟ୍ରମ୍ପଙ୍କ ପାଇଁ ଏଭଳି ଫଳାଫଳର କଳ୍ପନା ଥିଲା ଅପ୍ରତ୍ୟାଶିତ । ଆମେରିକାର ଫାଷ୍ଟର ନାରା ଦେଇ ହ୍ୱାଇଟ ହାଉସରେ ପ୍ରବେଶ କଲାବେଳେ ବର୍ଷ ୪ଟାରେ ଆମେରିକାବାସୀ ତାଙ୍କ ପ୍ରତି ଏମିତି ବିମୁଖ ହୋଇପଡିବେ ହୁଏତ ଚିନ୍ତା ବି କରିନଥିଲେ ଟ୍ରମ୍ପ । ତେଣୁ ପରାଜୟ ଆଶଙ୍କାରେ ଚ୍ୟାଲେଂଜରଙ୍କ ବିରୋଧରେ ଭୋଟ ଜାଲିଆତିର ଅଭିଯୋଗ ଆଣି ଆଇନର ଆଶ୍ରୟ ନେଇଛନ୍ତି । କୁହାଯାଉଛି କରୋନା ମହାମାରୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ତରଫା କ୍ଷତି କରିିଛି । ଗୋଟିଏ ପଟେ କୋଭିଡ ପରିଚାଳନାକୁ ନେଇ ଟ୍ରମ୍ପ ପ୍ରଶାସନର ବିଫଳତା ଓ ବିରୋଧୀଙ୍କ ଘନଘନ ଆକ୍ରମଣ । ଅନ୍ୟପଟେ କରୋନା ସଂକ୍ରମଣ ଭୟରେ ଅଧିକ ସଂଖ୍ୟାରେ ପୋଷ୍ଟାଲ କିମ୍ପା ଇ-ବାଲାଟରେ ଭୋଟିଂ । ଦୁଇଟି ଯାକ ଓଭାଲ ହାଉସରୁ ଟ୍ରମ୍ପଙ୍କୁ ଦୂରେଇ ଦେଇଛି ।